ନୂଆଦିଲ୍ଲୀ/ଭୁବନେଶ୍ବର : ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟର ଏକାଧିକ ସହର ଏବଂ ସ୍ଥାନରେ ଡିଜେଲ ଦର ୧୦୦ ଟଙ୍କା ଟପିଯାଇଛି। ଓଡ଼ିଶା ଛଡ଼ା ଅନ୍ୟ ଯେଉଁ ରାଜ୍ୟରେ ଡିଜେଲ ଦର ୧୦୦ ଟଙ୍କା ଟପିଛି ସେଗୁଡ଼ିକ ହେଲା ରାଜସ୍ଥାନ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା। ପୂର୍ବରୁ ଅନେକ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ଟିପି ସାରିଥିବା ବେଳେ ଏବେ ଡିଜେଲ ଦର ଗୋଟିଏ ପରେ ଗୋଟିଏ ରାଜ୍ୟରେ ଶହେ ଟପିବାରେ ଲାଗିଛି। ସେପ୍ଟେମ୍ବର ୨୪ ତାରିଖରୁ ଆଜି ମଧ୍ୟରେ ଡିଜେଲ ଦର ଲିଟର ପିଛା ୧ ଟଙ୍କା ୮୫ ପଇସା ବଢ଼ିଛି। ସେହିଭଳି ପେଟ୍ରୋଲ ଦର ଚଳିତ ସପ୍ତାହରେ ୪ ଥରରେ ଲିଟର ପିଛା ୧ ଟଙ୍କା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ୪ ଥର ଡିଜେଲ ଦର ବୃଦ୍ଧି ଘଟିବା ଫଳରେ ଦେଶର ଅନେକ ସହରରେ ମଧ୍ୟ ଏହାର ଦର ୧୦୦ ଟଙ୍କା ଅତିକ୍ରମ କରାଯାଇଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚ ସ୍ତରରେ ଥିବା ଯୋଗୁ ତେଲ କମ୍ପାନି ଗୁଡ଼ିକ ଗତ କିଛିଦିନ ହେଲା ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଚାଲିଛନ୍ତି। ଏଥିଯୋଗୁ ଏହି ଦୁଇ ଇନ୍ଧନ ଦର ଦେଶରେ ନୂଆ ନୂଆ ରେକର୍ଡ କରିଚାଲିଛି। ୨ ତାରିଖରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ଘଟି ୧୦୩ ଟଙ୍କା ୦୩ ପଇସାରେ ଏବଂ ଡିଜେଲ ଦର ୩୩ ପଇସା ବୃଦ୍ଧି ଘଟି ୯୮ ଟଙ୍କା ୬୭ ପଇସାରେ ପହଞ୍ଚିଛି। କଟକରେ ପେଟ୍ରୋଲ ଦର ୧୦୩ ଟଙ୍କା ୩୭ ପଇସା ହୋଇଥିବା ବେଳେ ଡିଜେଲ ଦାମ ୯୮ ଟଙ୍କା ୯୯ ହୋଇଛି। ତେବେ ରାଜ୍ୟରେ ମାଲକାନଗିରିେର ପେଟ୍ରୋଲ ଦାମ ସର୍ବାଧିକ ୧୦୮ ଟଙ୍କା ୬୦ ପଇସା ଥିବା ବେଳେ ଡିଜେଲ ଦାମ ୧୦୪ ଟଙ୍କା ୬ ପଇସା ରହିଛି।
ଦିଲ୍ଲୀରେ ପେଟ୍ରୋଲ ଦର ୧୦୨ ଟଙ୍କା ୧୪ ପଇସା ଥିବା ବେଳେ ମୁମ୍ବାଇରେ ୧୦୮ ଟଙ୍କା ୧୯ ପଇସା ରହିଛି। ସେହିଭଳି ଦିଲ୍ଲୀରେ ଡିଜେଲ ଦର ୯୦ ଟଙ୍କା ୪୭ ପଇସା ଥିବାବେଳେ ମୁମ୍ବାଇରେ ୯୮ ଟଙ୍କା ୧୬ ପଇସା ରହିଛି। ବିଭିନ୍ନ ରାଜ୍ୟରେ ଭାଟ୍ ଭିନ୍ନ ଭିନ୍ନ ହାରରେ ଆଦାୟ କରାଯାଉଥିବା ସହିତ ପରିବହନ ଖର୍ଚ୍ଚ ଅଲଗା ଅଲଗା ରହୁଥିବାରୁ ଦରରେ ପାର୍ଥକ୍ୟ ରହୁଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବର୍ତ୍ତମାନ ୩ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ଗୋଟିଏ ପଟେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଉତ୍ପାଦନ ବଢ଼ୁନାହିଁ। ଅନ୍ୟପଟେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଫଳରେ ଅଶୋଧିତ ତେଲ ଚାହିଦା ବଢ଼ିଛି। ଫଳରେ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। ଭାରତ ବର୍ତ୍ତମାନ ବ୍ୟାରେଲ ପିଛା ପାଖାପାଖି ୭୮ ଡଲାରରେ ଅଶୋଧିତ ତେଲ କିଣୁଛି। ପୂର୍ବରୁ ଜୁଲାଇ ଏବଂ ଅଗଷ୍ଟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ସମୟରେ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୬୫ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୨୫ ପଇସା ହ୍ରାସ ଘଟିଥିଲା। ତାହା ପୂର୍ବରୁ ମେ ୪ ତାରିଖରୁ ଜୁଲାଇ ୧୭ ମଧ୍ୟରେ ପେଟ୍ରେଲ ଦର ୧୧ ଟଙ୍କା ୪୪ ପଇସା ଏବଂ ଡିଜେଲ ଦର ୯ ଟଙ୍କା ୧୪ ପଇସା ବଢ଼ିଥିଲା। ଭାରତ ଏହାର ମୋଟ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ତେଣୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଲେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ଦ୍ରୁତଗତିରେ ବଢ଼ିଥାଏ।