ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା କମିଲା, ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ତେଲଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଖାଉଟିଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦୀ ସରକାର । ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ କରାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ କରି ଘୋଷଣା କରିଛନ୍ତି ।

ନିଜ ଟୁଇଟରେ ସେ ଲେଖିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳକ ୮ ଟଙ୍କା କମାଇଥିବାବେଳେ ଡିଜେଲ ଉପରୁ ୬ ଟଙ୍କା ହ୍ରାସ କରାଯାଇଛି । ଏହା ଦ୍ବାରା ସରକାର ପ୍ରାୟ ୧ ଲକ୍ଷ କୋଟିର ରାଜସ୍ବ ହରାଇବେ। ତେବେ ରାଜ୍ୟ ସରକାରମାନେ ବି ତେଲ ଉପରୁ ଶୁଳକ ହ୍ରାସ କରି ତାହାର ସୁଫଳ ଲୋକଙ୍କୁ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏହାଛଡ଼ା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୯ କୋଟି ହିତାଧିକାରୀଙ୍କ ପାଇଁ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସୀଡି ଦିଆଯିବ । ଏହା ଦ୍ବାରା ସରକାର ୬୧୦୦ କୋଟି ଟଙ୍କାର ରାଜସ୍ବ ହରାଇବେ ।

 

 

 

ଅନ୍ୟପକ୍ଷରେ ପ୍ଲାଷ୍ଟିକ ସାମଗ୍ରୀର କଞ୍ଚାମାଲ ଓ ଆନୁଷଙ୍ଗିକ ସାମଗ୍ରୀ ଉପରୁ ସୀମା ଶୁଳକ ହ୍ରାସ କରାଯିବା ବିଷୟରେ ସେ ଘୋଷଣା କରିଛନ୍ତି । ଲୁହା ଓ ଇସ୍ପାତ ଉପରୁ ମଧ୍ୟ ସୀମା ଶୁଳକ ହ୍ରାସ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଦେଶରେ ଲୁହା ଓ ଇସ୍ପାତ ସାମଗ୍ରୀର ଦର କମିବ । ଅନ୍ୟପକ୍ଷରେ ସିମେଣ୍ଟ ଦର ହ୍ରାସ ଓ ଯୋଗାଣ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଉଛି । ଏ ସଂପର୍କିତ ସରକାରୀ ବିଜ୍ଞପ୍ତି ଆଜି ରାତିରେ ହିଁ ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର