ଇରାନ-ଆମେରିକା ଉତ୍ତେଜନା ମଧ୍ୟରେ ୭ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ତେଲ ଦର, ଭାରତ ସରକାରଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ : ଆମେରିକା ଦ୍ୱାରା ଇରାନୀ କମାଣ୍ଡର କାସିମ ସୁଲେମାନୀଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ପ୍ରତିଶୋଧ ନେବାକୁ ଇରାନର ଧମକ ପରେ ଆମେରିକା ଉପସାଗରୀୟ ଅଞ୍ଚଳକୁ ଅତିରିକ୍ତ ୩ ହଜାର ଯବାନ ପଠାଇଛି । ଏହା ସହିତ ନିଜର ଯୁଦ୍ଧ ଜାହାଜକୁ ମଧ୍ୟ ସେ ଅଞ୍ଚଳକୁ ପଠାଉଛି ।

ଏହି ଯୁଦ୍ଧ ଆଶଙ୍କା ମଧ୍ୟରେ ବିଶ୍ୱ ବଜାରରେ ତେଲଦର ବଢିବାରେ ଲାଗିଛି । ଶନିବାର ଦିନ ତେଲଦର ଗତ ୭ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବ୍ରେଣ୍ଟ କ୍ରୁଡ ଅଏଲ ୩.୫ ପ୍ରତିଶତ ବୃଦ୍ଧିପାଇ ବ୍ୟାରେଲ ପିଛା ୬୮.୬ ଡଲାରରେ ପହଞ୍ଚିଛି । ଭାରତୀୟ ବାସ୍କେଟର ମୂଲ୍ୟ ମଧ୍ୟ ୬୬ ଡଲାରକୁ ଛୁଇଁଛି । ଆଗାମୀ କିଛି ଦିନ ମଧ୍ୟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ଛୁଇଁବା ସମ୍ଭାବନା ରହିଛି । କେବଳ ଏତିକି ନୁହେଁ, ଇରାନ ଯଦି ଷ୍ଟ୍ରେଟ ଅଫ ହୋର୍ମୁଜକୁ ବନ୍ଦ କରେ ତେବେ ବିଶ୍ୱରେ ତେଲ ପାଇଁ ହାହାକାର ଖେଳିଯିବ ।

ତେଲଦର ବୃଦ୍ଧି ପାଉଥିବାରେ ଭାରତରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବଢିବାର ଆଶଙ୍କା ଦେଖାଦେଇଛି । ଏପରି ହେଲେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ସହ ସରକାରଙ୍କ ଚଳନ୍ତି ଖାତା ନିଅଣ୍ଟ ବୃଦ୍ଧି ପାଇବ । ଏହାଦ୍ୱାରା ଅର୍ଥନୀତିକୁ ସୁଧାରିବା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବିଫଳ ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର