୨୦୨୧ରେ ଓଡ଼ିଆ ଭାଷାରେ ହୋଇପାରେ ଜେଇଇ

ନୂଆଦିଲ୍ଲୀ : ଆସନ୍ତା ୨୦୨୧ ମସିହାରେ ଓଡ଼ିଆ ଭାଷାରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ହେବାର ସମ୍ଭାବନା ରହିଛି। କେବଳ ଓଡ଼ିଆ ଭାଷାରେ କାହିଁକି, ଏମିତି କେତେକ ଆଞ୍ଚଳିକ ଭାଷାାରେ ଏହି ପ୍ରବେଶିକା ପରୀକ୍ଷା ହୋଇପାରେ। ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ‘ନିଶଙ୍କ’ ଏ ସମ୍ପର୍କରେ ଏକ ସୂଚନା ଦେଇଛନ୍ତି। ଏବଂ, ଏହି ସୂଚନା ଆଧାରରେ ଓଡ଼ିଆ ଭାଷାରେ ଜେଇଇ ପରୀକ୍ଷା ହେବ ବୋଲି ଅନୁମାନ କରାଯାଉଛି।

ଗତକାଲି ଅନୁଷ୍ଠିତ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଯୁଗ୍ମ ଆଡମିସନ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକରେ ଜେଇଇ (ମେନ୍‌)କୁ ଆଞ୍ଚଳିକ ଭାଷାରେ ଆୟୋଜନ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିପାଇଁ ଦୁଇଟି ବିକଳ୍ପ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ପ୍ରଥମ ହେଉଛି, ଯେଉଁ ରାଜ୍ୟ ଗୁଡ଼ିକରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଓ ଆର୍କିଟେକ୍‌ଚର୍‌ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯାଉଛି, ସେସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ବି ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷା କରାଯିବ। ଦ୍ବିତୀୟ ବିକଳ୍ପ ହେଉଛି, ଯେଉଁ ରାଜ୍ୟଗୁଡ଼ିକ ଜେଇଇ(ମେନ୍‌) ପରୀକ୍ଷାର ଅଂଶବିଶେଷ ରହିଛନ୍ତି, ସେସବୁ ରାଜ୍ୟରେ ସମ୍ପୃକ୍ତ ଆଞ୍ଚଳିକ ଭାଷାରେ ପରୀକ୍ଷା କରାଯାଇପାରିବ। ଯଦିଓ ମନ୍ତ୍ରାଳୟ ଜେଇଇ (ମେନ୍‌)ରେ ସାମିଲ୍‌ କରାଯିବାକୁ ଥିବା ଆଞ୍ଚଳିକ ଭାଷା ସମ୍ପର୍କରେ ଘୋଷଣା କରିନାହାନ୍ତି, ରାଜ୍ୟମାନଙ୍କ ପକ୍ଷରୁ ଏ ସମ୍ପର୍କିତ ଆବେଦନ ପାଇବା ପରେ ଯାଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଓଡ଼ିଆ ଭାଷା ସମତେ ଉର୍ଦ୍ଦୁ, ବଙ୍ଗଳା, ଆସାମୀ, କନ୍ନଡ, ମରାଠୀ, ତାମିଲ , ତେଲୁଗୁ ଭଳି ୧୧ଟି ଭାଷାକୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯିବ।

ଉଲ୍ଲେଖଯୋଗ୍ୟ ‌ଯେ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଓଡ଼ିଆ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ଼, ମରାଠୀ, ତେଲୁଗୁ, ତାମିଲନାଡୁ, ଉର୍ଦ୍ଦୁରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ପକ୍ଷରୁ ଆୟୋଜନ କରାଯାଇଛି। ଅପରପକ୍ଷେ ଇଂରାଜୀ,ହିନ୍ଦୀ ଓ ଗୁଜୁରାଟୀ ଭାଷାରେ ବର୍ତ୍ତମାନ ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ହେଉଛି। ଓଡ଼ିଆ ଭାଷାରେ ଜେଇଇ (ମେନ) ପରୀକ୍ଷା କରାଯିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ରାଜ୍ୟରେ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଓଡ଼ିଆ ଭାଷାରେ ହେଉଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସୂତ୍ର ଅନୁସାରେ, ଆଞ୍ଚଳିକ ଭାଷାରେ ଜେଇଇ (ମେନ) ପରୀକ୍ଷା କରାଯିବା ଦ୍ବାରା ଛାତ୍ରଛାତ୍ରୀମାନେ ପ୍ରଶ୍ନଗୁଡ଼ିକୁ ସଠିକ୍‌ ରୂପେ ବୁଝିବା ସହିତ ପରୀକ୍ଷାରେ ଅଧିକ ନମ୍ବର ହାସଲ କରିପାରିବେ। ଚଳିତବର୍ଷ ଜୁଲାଇରେ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦନ କରାଯାଇଥିବା ନୂତନ ଶିକ୍ଷାନୀତିରେ ମାତୃଭାଷା ଓ ଆଞ୍ଚଳିକ ଭାଷାକୁ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇଛି। ଏଥିସହିତ, ଓଡ଼ିଆ ଭାଷାକୁ ୨୦୧୪ରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ପରେ ଜାତୀୟସ୍ତରରେ ଏହାର ଗୁରୁତ୍ବ ଯ‌ଥେଷ୍ଟ ବୃଦ୍ଧି ପାଇଛି। ସଂସଦର ଉଭୟ ଗୃହରେ ସାଂସଦମାନେ ବିତର୍କରେ ଭାଗ ନେବାବେଳେ ଓଡ଼ିଆ ଭାଷା ବ୍ୟବହାର କରୁଛନ୍ତି। ପିଏମ୍‌ ଇଣ୍ଡିଆ ୱେବ୍‌ସାଇଟ ଓଡ଼ିଆ ଭାଷା‌ରେ ଉପଲବ୍ଧ ହେଉଛି। ସେହିଭଳି, ସୁପ୍ରିମକୋର୍ଟରେ ଭର୍ଣ୍ଣାକୁଲାର ଜଜମେଣ୍ଟସ୍ ବିଭାଗରେ ଓଡ଼ିଆ ଭାଷାରେ ଗୁରୁତ୍ବପୂର୍ଣ୍ଣ ରାୟ ଉପଲବ୍ଧ କରାଯାଉଛି। ଏବେ ଜେଇଇ (ମେନ୍‌) ପ୍ରବେଶିକା ଓଡ଼ିଶା ଭାଷାରେ ହେଲେ, ଆମ ଭାଷାର ମହତ୍ତ୍ବ ଆହୁରି ବି ବଢ଼ିଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର