ମହାବାତ୍ୟାର ରୂପ ନେଉଛି ‘ଓଖି’ ଝଡ଼

ନୂଆଦିଲ୍ଲୀ: ଭାରତ ମହାସାଗରରେ ସୃଷ୍ଟ ‘ଓଖି’ ଝଡ଼ ମହାବାତ୍ୟାର ରୂପ ନେଉଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ, ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ ତାମିଲନାଡୁ ଓ କେରଳର ଦକ୍ଷିଣ ଭାଗରେ ଅତି ପ୍ରବଳ ବର୍ଷା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପବନରେ ବିଶାଳ ଗଛ ସବୁ ରାସ୍ତାରେ ଉପୁଡ଼ି ପଡ଼ି ଯାତାୟତ ଠପ୍‌ ହୋଇଯାଇଛି। କେବଳ ତାମିଲନାଡୁରେ ଗଛ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେରଳରେ ମଧ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଗତକାଲି ଦକ୍ଷିଣ ବଙ୍ଗୋପସାଗରରେ ଦେଖାଦେଇଥିବା ଅବପାତ ଆଜି ସକାଳ ସାଢେ ୮ଟାରେ ବାତ୍ୟାର ରୂପ ନେଇଛି। ବାଂଲାଦେଶ ଦ୍ୱାରା ‘ଓଖି’ ଭାବେ ନାମିତ କରାଯାଇଥିବା ଏହି ଝଡ଼ କେରଳ ଓ ତାମିଲନାଡୁର ଦକ୍ଷିମ ଉପକୂଳରୁ ଉତ୍ତର ପଶ୍ଚିମମୁହାଁ ହୋଇ ଲାକ୍ଷାଦ୍ୱୀପ ଆଡ଼କୁ ଗତି କରୁଛି। ଦକ୍ଷିଣ କେରଳ, ତାମିଲନାଡୁ ଏବଂ ଲାକ୍ଷାଦିବୀପ ପାଇଁ ବାତ୍ୟା ସତର୍କ ଜାରି କରାଯାଇଛି।

ସମ୍ବନ୍ଧିତ ଖବର