ନୂଆଦିଲ୍ଲୀ: ପୃଥକ୍ ଭାବେ ବିଲ୍ କରିଥିବା ଚାର୍ଜର ବାବଦ ଅର୍ଥ ଓଲା ଇଲେକ୍ଟ୍ରିକ୍ ଏହାର ଗ୍ରାହକଙ୍କୁ ଫେରାଇବ। ଭାରି ଶିଳ୍ପ ମନ୍ତ୍ରାଳୟର ଅଧିକାରୀଙ୍କ ସହ ହୋଇଥିବା ବୈଠକରେ କମ୍ପାନି ଏଭଳି ସଂକେତ ଦେଇଛି। ତେବେ ଏହା ଉପରେ ଟିପ୍ପଣୀ ରଖିବାକୁ କମ୍ପାନି ମନା କରିଦେଇଛି।
ବୈଠକରେ ଅନ୍ୟ ୩ଟି ପ୍ରମୁଖ ଦୁଇ ଚକିଆ ବିଦ୍ୟୁତ ଯାନ ନିର୍ମାତା ଏଥର୍ ଏନର୍ଜି, ଟିଭିଏସ୍ ଏବଂ ହିରୋ ଉପସ୍ଥିତ ଥିଲେ ମଧ୍ୟ ସେମାନେ ଏ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଚାର୍ଜର ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚରେ ମିଶାଇଲେ ସେମାନଙ୍କୁ ଅତିରିକ୍ତ ୫୦ରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ ବହନ କରିବାକୁ ହେବ ବୋଲି ବିଦ୍ୟୁତ ଯାନ ନିର୍ମାତାମାନେ ମତ ଦେଇଛନ୍ତି। ସ୍ମାର୍ଟ ଚାର୍ଜର ବାବଦରେ କମ୍ପାନି ଗୁଡ଼ିକ ଗ୍ରାହକଙ୍କ ଠାରୁ ୯ ହଜାର ଟଙ୍କାରୁ ୧୯ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଛନ୍ତି। ଯଦି କମ୍ପାନିଗୁଡ଼ିକ ସେମାନଙ୍କ ଗାଡ଼ିର ଉତ୍ପାଦନ ମୂଲ୍ୟକୁ ୧.୫୦ ଲକ୍ଷ ଟଙ୍କା ମଧ୍ୟରେ ରଖିବେ ତାହେଲେ ଫେମ୍ ୨ ଯୋଜନାରେ ରିହାତି ପାଇବେ। ଏ ବାବଦରେ ୪୦ ପ୍ରତିଶତ ସବସିଡି ମିଳିଥାଏ। କିନ୍ତୁ କମ୍ପାନିଗୁଡ଼ିକ ଚାର୍ଜର ପାଇଁ ପୃଥକ ବିଲ୍ କରିବା ପରେ ହିଁ ଯାଇ ଉତ୍ପାଦନ ମୂଲ୍ୟକୁ ଦେଢ଼ ଲକ୍ଷ ଟଙ୍କା ମଧ୍ୟରେ ରଖିବାରେ ସମର୍ଥ ହେଉଛନ୍ତି ବୋଲି କହିଛନ୍ତି।