ସେପ୍ଟେମ୍ବର ୧ରୁ ଧର୍ମଘଟ କରିବେ ଓଲା, ଉବର ଚାଳକ

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି । ଏହା ଫଳରେ ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ।

ସର୍ବୋଦୟ ଡ୍ରାଇଭର ସଂଘର ସଭାପତି କମଲଜିତ ସିଂ ଗିଲ କହିଛନ୍ତି ଯେ ସରକାର ଯଦି ସେମାନଙ୍କ ଦାବି ନମାନିବେ ତେବେ ଓଲା, ଉବର ଚଳାଉଥିବା ପ୍ରାୟ ୨ଲକ୍ଷ ଚାଳକ ଆସନ୍ତା ସେପ୍ଟେମ୍ବର ୧ରେ ରାସ୍ତାକୁ ଓହ୍ଲାଇବେ ।

ସରକାରଙ୍କ ଆଗରେ ସେମାନେ ରଖିଥିବା ଦାବି ମଧ୍ୟରେ ରହିଛି ଭଡ଼ା ବୃଦ୍ଧି, କମିଶନ ବୃଦ୍ଧି, ଋଣ କିସ୍ତି ପାଇଁ ମୋରାଟୋରିୟମ ସମୟ (ଛାଡ଼ ସମୟ) ବୃଦ୍ଧି ଇତ୍ୟାଦି । ଅନେକ ଚାଳକ ବ୍ୟାଙ୍କ ଋଣ କରି କାର କିଣି ନିଜେ ଚଳାଉଛନ୍ତି । କରୋନା ମହାମାରୀ ଯୋଗୁଁ କାରବାର ପ୍ରଭାବିତ ହୋଇଥିବାରୁ ସେମାନେ ବ୍ୟାଙ୍କ କିସ୍ତି ଦେଇ ପାରୁନାହାନ୍ତି । ଏଥିପାଇଁ ସରକାର ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଲୋକ ମୋରାଟୋରିୟମ ମିଆଦ ବୃଦ୍ଧି କରିବାକୁ ସେମାନେ ଦାବି କରୁଛନ୍ତି । ଏହାଛଡ଼ା ଓଲା, ଉବର ଆଦି କମ୍ପାନିମାନେ ଚାଳକମାନଙ୍କୁ ପ୍ରଦାନ କରୁଥିବା କମିଶନ ପରିମାଣ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି । ଆହୁରି ମଧ୍ୟ, ଦ୍ରୁତ ଗତିରେ ଗାଡ଼ିଚାଳନା ଯୋଗୁଁ ଟ୍ରାଫିକ ପୁଲିସ ପକ୍ଷରୁ କଟାଯାଉଥିବା ଇ-ଚାଲାଣ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର