ନୂଆଦିଲ୍ଲୀ : ରାଜସ୍ଥାନର ଥର୍ ମରୁଭୂମିରୁ ୧ ଲକ୍ଷ ୭୨ ହଜାର ବର୍ଷ ତଳେ ପ୍ରବାହିତ ହେଉଥିବା ଏକ ମୃତ ନଦୀ ଠାବ କରାଯାଇଛି। ଏକ ଅନ୍ତର୍ଜାତୀୟ ଗବେଷଣା ଦଳ ଏହି ମୃତ ନଦୀକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି। ପ୍ରସ୍ତର ଯୁଗ ସମୟରେ ଏହି ନଦୀଟି ରାଜସ୍ଥାନର ଥର୍ ମରୁଭୂମି ଦେଇ ପ୍ରବାହିତ ହେଉଥିଲା ଏବଂ ଏହା ଥର୍ ମରୁଭୂମିର ‘ଲାଇଫ୍ ଲାଇନ୍’ ଭାବେ ବିବେଚିତ ହେଉଥିଲା। ଏ ନେଇ ଏକ ବିସ୍ତୃତ ରିପୋର୍ଟ ବିଜ୍ଞାନ ପତ୍ରିକା ‘କ୍ବାଟର୍ନାରି ସାଇନ୍ସ ରିଭ୍ୟୁ’ରେ ପ୍ରକାଶ ପାଇଛି।
ଜର୍ମାନୀର ‘ମାକ୍ସ ପ୍ଲାଙ୍କ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ସାଇନ୍ସ ଅଫ୍ ହ୍ୟୁମାନ୍ ହିଷ୍ଟ୍ରି’, ଚେନ୍ନାଇର ଆନ୍ନା ବିଶ୍ବବିଦ୍ୟାଳୟ ଏବଂ କୋଲକାତାର ଆଇଆଇଏସ୍ଇଆରର ଗବେଷକମାନେ ଏହି ମୃତ ନଦୀ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ନଦୀଟି ବିକାନିର, ନଳ, ଲୁଣି ଉପତ୍ୟକା ଆଦି ଅଞ୍ଚଳରେ ପ୍ରବାହିତ ହେଉଥିଲା। ଚେନ୍ନାଇର ଆନ୍ନା ବିଶ୍ବବିଦ୍ୟାଳୟର ପ୍ରଫେସର ହେମ ଅଚ୍ୟୁତନ୍ଙ୍କ କହିବା ଅନୁସାରେ, ଆଜିର ଥର୍ ମରୁଭୂମି ଦିନେ ସବୁଜିମାରେ ଭରପୂର ଥିଲା ଏବଂ ଏ ଅଞ୍ଚଳ ଦେଇ ଚିରସ୍ରୋତା ନଦୀ ପ୍ରବାହିତ ହେଉଥିଲା।