ନୂଆଦିଲ୍ଲୀ : ଦିଲ୍ଲୀରେ ପୁରୁଣା ଗାଡ଼ି ବିରୋଧୀ ଅଭିଯାନକୁ ନଭେମ୍ବର ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନଭେମ୍ବର ୧ରୁ ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ। ଏଠାରେ ପୁରୁଣା ଗାଡ଼ିଗୁଡ଼ିକର ଅର୍ଥ ହେଉଛି ୧୦ ବର୍ଷ ବା ଅଧିକ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ବା ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି।
ମଙ୍ଗଳବାର ସିଏକ୍ଯୁଏମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ନଭେମ୍ବର ୧ରୁ ପୁରୁଣା ଯାନଗୁଡ଼ିକୁ ଡିଜେଲ ଏବଂ ପେଟ୍ରୋଲ ଦେବା ଉପରେ ପ୍ରତିବନ୍ଧକ ଦିଲ୍ଲୀରେ ଲାଗୁ ହେବ । କେବଳ ଦିଲ୍ଲୀ ନୁହେଁ, ଗାଜିଆବାଦ, ଗୌତମବୁଦ୍ଧ ନଗର (ନୋଏଡା), ଗୁରୁଗ୍ରାମ ଏବଂ ସୋନିପତ ଭଳି ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକରେ କାର୍ଯ୍ୟକାରୀ ହେବ।
ଦିଲ୍ଲୀ ସରକାର ଦାବି କରିଥିଲେ ଯେ ଏନସିଆର ସହିତ ପୁରୁଣା ଯାନଗୁଡ଼ିକ ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ପ୍ରତିବନ୍ଧକ ଲାଗୁ କରାଯାଉ। ସୂତ୍ର ଅନୁସାରେ, ସିଏକ୍ଯୁଏମ ଆଜିର ବୈଠକରେ ଏହାକୁ ଗ୍ରହଣ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସିଏକ୍ଯୁଏମର ଅର୍ଥ ହେଉଛି ଦିଲ୍ଲୀ ଏନସିଆର ଅଂଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ।