ସିଓଲ: ଡ଼୍ରାଇଭିଂ ଲାଇସେନ୍ସ ପାଇଁ ଜଣେ ମହିଳାଙ୍କୁ ୯୬୦ ଥର ପରୀକ୍ଷା ଦେବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ ଏଥିପାଇଁ ତାଙ୍କୁ ୧୧ ଲକ୍ଷ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିଛି ବୋଲି କୁହାଯାଉଛି। ତେବେ ମହିଳାଙ୍କ ପାଇଁ ଖୁସିର କଥା ହେଉଛି ଦୀର୍ଘ ୧୮ବର୍ଷ ପରେ ବୃଦ୍ଧାବସ୍ଥାରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦକ୍ଷିଣ କୋରିଆର ରାଜଧାନୀର ସିଓଲଠାରୁ ୧୩୦ କିମି ଦୂରରେ ବସବାସ କରୁଥିବା ଚା ସା ସୁନଙ୍କ ସହିତ ଘଟିଛି।
ସୁନ୍ ୨୦୦୫ ମସିହା ଏପ୍ରିଲରେ ପ୍ରଥମ ଥର ଡ୍ରାଇଭିଂ ଲାଇସେନ୍ସ ପାଇଁ ଲିଖିତ ପରୀକ୍ଷା ଦେଇଥିଲେ । ହେଲେ ଏଥିରେ ବିଫଳ ହୋଇଥିଲେ। ବିଫଳ ହେବା ପରେ ସେ ହାରମାନି ନଥିଲେ। ଯେମିତି ହେଲେ ବି ସେ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିବେ ସେଥିପାଇଁ କ୍ରମାଗତ ଏହି ପରୀକ୍ଷା ଦେବାକୁ ଲାଗିଥିଲେ ।
୭୮୦ ଥର ପରୀକ୍ଷା ଦେବା ପରେ ବିଫଳ ହେବାରୁ ସପ୍ତାହରେ ଦୁଇଥର ତାଙ୍କର ପରୀକ୍ଷା କରାଗଲା । ମୋଟ ୯୬୦ ଥର ପରୀକ୍ଷା ଦେବା ପରେ ସୁନ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିଲାଗି ତାଙ୍କୁ ୧୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ବୋଲି ଜଣାପଡ଼ିଛି।
ଏହି ଘଟଣା ସୁନଙ୍କ ପାଇଁ ଯେତିକି ଦୁଃଖର ବିଷୟ ସେତିକି ଖୁସିର ବିଷୟ ମଧ୍ୟ। ଦୁଃଖର ବିଷୟ ହେଉଛି ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିଲା ବେଳକୁ ସୁନଙ୍କୁ ୬୯ ବର୍ଷ ବୟସ ହୋଇଛି। ଖୁସିର ବିଷୟ ହେଉଛି ସୁନ ବୃଦ୍ଧା ଅବସ୍ଥାରେ ହେଉ ପଛେ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିଛନ୍ତି।
ଏହି ଘଟଣାକୁ ନେଇ ସୁନ୍ କହିଛନ୍ତି, ‘ମୋତେ ଲାଇସେନ୍ସ ମିଳିଥିବାରୁ ମୁଁ ବହୁତ ଖୁସି ଅଛି । ମୋର ଏହି କାହାଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମୋତେ ଦକ୍ଷିଣ କୋରିଆ ହୁଣ୍ଡାଇ କମ୍ପାନି ପକ୍ଷରୁ ଏକ ନୂତନ ଗାଡି ପ୍ରଦାନ କରାଯାଇଛି ।’