ପାଟନା: ବିହାରର ନାୱଡ଼ା ଏବଂ ଗୟା ଜିଲ୍ଲା ସୀମାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଲାଚୋର ସନ୍ଦେହରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ନାୱଡ଼ା ସ୍ଥିତ ସିରଦଳା ଥାନା ଅଧୀନରେ ଏହି ଘଟଣା ଘଟିଛି। ଉକ୍ତ ବୃଦ୍ଧାଙ୍କୁ ଶାନ୍ତି ଦେବୀ ଭାବେ ଚିହ୍ନଟ କରାଯାଇଛି। ଉକ୍ତ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। କିଛି ବ୍ୟକ୍ତି ଏବଂ ପିଲାମାନେ ବୃଦ୍ଧାଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ଦେଖିବାକୁ ମିଳିଛି। ଜଣେ ପିଲାଚୋର ଗ୍ରାମ ମଧ୍ୟକୁ ପଶି କିଛି ପିଲାଙ୍କୁ ଚୋରି କରି ନେଉଥିବାର ଖବର ପ୍ରଥମେ ଗୁଜବ ହୋଇଥିଲା। ତେବେ ଯେଉଁ ସ୍ଥାନରେ ବୃଦ୍ଧାଙ୍କ ଉପରକୁ ଆକ୍ରମଣ ହୋଇଥିଲା ସେହିସ୍ଥାନରେ ତାଙ୍କୁ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ତେଣୁ ସ୍ଥାନୀୟ ଲୋକ ତାଙ୍କୁ ପିଲାଚୋର ଭାବି ନିସ୍ତୁକ ମାରିଥିଲେ। ବୃଦ୍ଧାଙ୍କ ଝିଅ ନିଲୁଦେବୀ କହିଛନ୍ତି, ତାଙ୍କ ମା’ ଘରଠାରୁ ୫ କିମି ଦୂର ଆଙ୍ଗ୍ରା ଗ୍ରାମକୁ ଯାଇଥିଲେ। କିନ୍ତୁ ସେ ଆଉ ଫେରିନଥିଲେ। ସନ୍ଧ୍ୟା ୭ଟାରେ ତାଙ୍କ ମା’ ସିରଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ନେଇ ତାଙ୍କ ନିକଟକୁ ଖବର ଆସିଥିଲା। ପରିବାରର ଅନ୍ୟ ସଦସ୍ୟଙ୍କ ସହ ସେ ହସ୍ପିଟାଲ୍ରେ ପହଞ୍ଚିବାପରେ ନିଜ ମା’ଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ। ଶାନ୍ତିଦେବୀଙ୍କୁ ପରେ ଅନ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି।