ଆସ୍ଥାଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି

କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଆଜି ଆଉ ଏକ ଧକ୍କା ଲାଗିଛି । ନେପାଳ ସଂସଦର ପ୍ରତିନିଧିସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ସେ ପରାଜିତ ହୋଇଛନ୍ତି । ୨୭୫ ସଦସ୍ୟଭିତ୍ତିକ ପ୍ରତିନିଧିସଭାରେ ଆସ୍ଥାଭୋଟ ଜିତିବାକୁ ଅତିକମରେ ୧୩୬ଟି ଭୋଟ ଦରକାର ହେଉଥିବାବେଳେ ସେ ମାତ୍ର ୯୩ଟି ଭୋଟ ପାଇଥିଲେ । ତାଙ୍କ ବିରୋଧରେ ୧୨୪ଟି ଭୋଟ ପଡ଼ିଥିଲା । ଏପରିକି ଓଲିଙ୍କ ଦଳରେ କେତେକ ସଦସ୍ୟ ହ୍ବିପକୁ ଅବଜ୍ଞା କରି ଭୋଟଦାନରୁ ଅନୁପସ୍ଥିତ ରହିଥିଲେ । ଏହା ଫଳରେ ନେପାଳରେ ଗତ ୩୮ ମାସ ଧରି ଚାଲିଥିବା ଓଲି ସରକାରର ପତନ ହୋଇଯ଼ାଇଛି ।
ପୁଷ୍ପକମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ବାଧୀନ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ ସେଣ୍ଟର) ସମର୍ଥନ ପ୍ରତ୍ୟାହାର କରିବା ପରେ ଓଲି ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯ଼ାଇଥିଲା ।
ନେପାଳ କମ୍ୟୁନିଷ୍ଟ ପାର୍ଟିରେ କ୍ଷମତା କନ୍ଦଳ ଯ଼ୋଗୁଁ ନେପାଳରେ ଗତ ବର୍ଷଠାରୁ ରାଜନୈତିକ ସଂକଟ ଲାଗି ରହିଛି । ଗତ ଡିସେମ୍ବର ୨୦ରେ ନେପାଳର ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରି ସଂସଦକୁ ଭାଙ୍ଗିଦେବା ସହ ଏପ୍ରିଲ ୩୦ ଓ ମେ ୧୦ରେ ସାନି ନିର୍ବାଚନ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର