ଆଇଏସଆଇଏସ ପାଇଁ ଲଢ଼ିବାକୁ ଶପଥ ନେଇଥିଲା ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ

ଗୋରଖପୁର : ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଗତ ଏପ୍ରିଲ ୩‌ ତାରିଖରେ ଜଣେ ଯୁବକ ଆକ୍ରମଣ କରିଥିଲା। ରବିବାର ସନ୍ଧ୍ୟାରେ ଗୋରଖନାଥ ମନ୍ଦିରର ଦକ୍ଷିଣ ଗେଟରେ ମୁତୟନ ଥିବା ପୁଲିସକର୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଆଇଆଇଟି ବମ୍ବେର ଛାତ୍ର ଅହମ୍ମଦ ଅବ୍ବାସି ମୁର୍ତାଜା। ତେବେ ଘଟଣା ପରେ ତାକୁ ଗିରଫ କରାଯାଇଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁର୍ତାଜାକୁ ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ପାଇଁ ଲଢ଼ିବାକୁ ମୁର୍ତାଜା ୨୦୨୦ରେ ଶପଥ ନେଇଥିଲା।

ଏହା ସହ ୨୦୨୦ଠାରୁ ଆତଙ୍କବାଦୀ ସଂଗଠନର ସମର୍ଥକମାନଙ୍କୁ ମୁର୍ତାଜା ଆର୍ଥିକ ସହାୟତା ପ୍ରଦାନ କରୁଥିଲା ବୋଲି ପଚରାଉଚରା ପରେ ଜଣାପଡ଼ିଛି। ପୁଲିସର କହିବା ମୁତାବକ, ସୋସିଆଲ ମିଡିଆ ମାଧ୍ୟମରେ ମୁର୍ତାଜା ଅବ୍ବାସି ଆଇଏସଆଇଏସ ଆତଙ୍କବାଦୀ ତଥା ପ୍ରଚାରକ ମେହେନ୍ଦି ମାସୁଦଙ୍କ ସହ ଯୋଗାଯୋଗରେ ଥିଲା। ଏହା ସହ ଆଇଏସଆଇଏସର ସମର୍ଥକ ଓ ବିଦ୍ରୋହୀମାନଙ୍କ ସହ ମଧ୍ୟ ସେ ସୋସିଆଲ ମିଡିଆ ମାଧ୍ୟମରେ ହିଁ ଯୋଗାଯୋଗ କରୁଥିଲେ।

ତଦନ୍ତ ସମୟରେ ମୁର୍ତାଜା  ଏହା ମଧ୍ୟ ପ୍ରକାଶ କରିଛି ଯେ, ସେ ଇଣ୍ଟରନେଟରେ ଏକେ-୪୭, ୫-୪ କାର୍ବାଇନ୍ ସମେତ ଅନେକ ଅସ୍ତ୍ରଶସ୍ତ୍ର ବିଷୟରେ ପଢ଼ୁଥିଲା। ଆକ୍ରମଣ କରିବାର ଆବଶ୍ୟକତା ପଡ଼ିପାରେ ବୋଲି ଭାବି ମୁର୍ତାଜା ଘରେ ଏୟାର ରାଇଫଲ ଚଳାଇବାର ଅଭ୍ୟାସ କରୁଥିଲା ବୋଲି କହିଛି।

ଏହା ପୂର୍ବରୁ ଆକ୍ରମଣ କରିବା ପଛର କାରଣ କହିବାକୁ ଯାଇ ମୁର୍ତାଜା ପୁଲିସକୁ କହିଥିଲା ଯେ, ଆଲ୍ଲାଙ୍କ ମାର୍ଗରେ ଜୀବନ ଦେବା ଭଳି ଅନୁଭବ କରିବାରୁ ମୁଁ ପ୍ରସିଦ୍ଧ ଗୋରଖନାଥ ମନ୍ଦିର ଯାଇଥିଲି। ସେଠାକୁ ଯିବା ପରେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ମୋତେ କଟାକ୍ଷ ଭରା ଚାହାଣିରେ ଦେଖିବାରୁ ରାଗରେ ମୁଁ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲି।

ସମ୍ବନ୍ଧିତ ଖବର