ନୂଆଦିଲ୍ଲୀ: ଭୋଟ ପାଇଁ ଦିଲ୍ଲୀ ଏବଂ ମୁମ୍ବାଇର ଲୋକମାନେ ଲକ୍ଷ୍ମୌ ଆସିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସଂଗଠନ ଦ୍ୱାରା ଟିକେଟ୍ ମାଗଣାରେ ଯୋଗାଇ ଦିଆଯାଉଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମନୁ ସିଂ ମୁମ୍ବାଇରେ ତାଙ୍କ ସ୍ୱାମୀଙ୍କ ସହ ରୁହନ୍ତି। ସେ ମୂଳତଃ ଲକ୍ଷ୍ମୌର। ସେ ଭୋଟ ପାଇଁ ଯେତେବେଳେ ଲକ୍ଷ୍ମୌ ଆସିବାକୁ ଚାହିଁଥିଲେ ଟ୍ରେନ ଟିକେଟର ୱେଟିଂ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ୱେଟିଂ ଟିକେଟ ଥିବାରୁ ସେ ଲକ୍ଷ୍ମୌ ଯିବେ ନାହିଁ ସ୍ଥିର କରିଥିଲେ। ଏହାରି ଭିତରେ ତାଙ୍କ ପାଖକୁ ହ୍ବାଟସ ଆପରେ ଏକ ରାଜନୈତିକ ଦଳ ପକ୍ଷରୁ ମେସେଜ ଆସିଥିଲା।
ଏହି ମେସେଜରେ ସେ ଯାତ୍ରାର ସବିଶେଷ ତଥ୍ୟ ପୂରଣ କରି ପଠାଇଥିଲେ। ଏହାର ଗୋଟିଏ ଦିନ ପରେ ତାଙ୍କୁ ଏକ ନିଶ୍ଚିତ ହୋଇଥିବା ଟ୍ରେନ ଟିକେଟ୍ ଆସିଥିଲା। ତାହା ପୁଣି ମାଗଣାରେ । କେବଳ ଏତିକି ନୁହେଁ ଭୋଟ୍ ଦେବା ପରେ ତାଙ୍କୁ ରିଟର୍ଣ୍ଣ ଟିକେଟ ମଧ୍ୟ ପଠାଯାଇଥିଲା।
ମନୁ ସିଂ ଏକା ନୁହନ୍ତି ଏମତି ଶହ ଶହ ଯାତ୍ରୀ ଅଛନ୍ତି, ଯେଉଁମାନେ ଭୋଟ୍ ଦେବା ପାଇଁ ଲକ୍ଷ୍ମୌ ଆସୁଛନ୍ତି। ସେମାନଙ୍କୁ ସ୍ଲିପର ଠାରୁ ଏସି ବଗି ପର୍ଯ୍ୟନ୍ତ ନିଶ୍ଚିତ ଟିକେଟ୍ ଯୋଗାଇ ଦିଆଯାଉଛି । ହ୍ବାଟସ ଆପରେ ଯାତ୍ରୀମାନଙ୍କୁ ଟିକେଟ୍ ଫର୍ମାଟ୍ ପଠାଯାଉଛି, ଯେଉଁଥିରେ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ପୂରଣ କରିବା ପରେ ଅନ୍ୟ ପାର୍ଶ୍ୱରୁ ଏକ ନିଶ୍ଚିତ ଟିକେଟ୍ ଦିଆଯାଉଛି । କେବଳ ଏତିକି ନୁହେଁ ଯାତ୍ରୀମାନଙ୍କୁ ଭୋଟ୍ ଦେବା ପାଇଁ ଏକ ଆବେଦନ ମଧ୍ୟ କରାଯାଉଛି।