ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଶାସକ ମେଣ୍ଟ ଏନ୍‌ଡିଏ ସମର୍ଥିତ  ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ଇଣ୍ଡିଆ ମେଣ୍ଟ୍‌ର ପ୍ରତିନ୍ଦ୍ବନ୍ଦ୍ବୀ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇଛନ୍ତି ଓମ୍‌ ବିର୍ଲା। ଏଥର ନିର୍ବାଚିତ ହେବା ପ‌ରେ ସେ ଦ୍ବିତୀୟ ଥର ପାଇଁ ବାଚସ୍ପତି ହୋଇଛନ୍ତି। ଭୋଟ୍‌ ଡିଭିଜନ୍‌ ଦାବି ନଥିବାରୁ ତାଙ୍କୁ ସିଧାସଳଖ ନିର୍ବାଚିତ କରାଯାଇଛି।

Advertisment

ବିରୋଧୀ ଦଳ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ପ୍ରାର୍ଥୀ ଥିବା କଂଗ୍ରେସ ନେତା କେ ସୁରେଶଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜର ସମର୍ଥନ‌ ଦେଇଥଲେ। ତା’ସତ୍ତ୍ବେ ବି ସେ ହାରିଯାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ୨୦ ମିନିଟର ଫୋନ୍ କଲ ପରେ କେ ସୁରେଶଙ୍କୁ ତ୍ରୁଣମୂଳ କଂଗ୍ରେସର ସମର୍ଥନ ମିଳିଥିଲା।

୧୯୭୬ ମସିହା ପରଠାରୁ ଏହା ହେବ ପ୍ରଥମ ବାଚସ୍ପତି ନିର୍ବାଚନ। ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂହ ତ‌ାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଉଲ୍ଲେଖଯୋଗ୍ୟ, ଓମ୍‌ ବିଲା ୪୧,୦୦୦ ଭୋଟ୍‌ ମାର୍ଜିନରେ କୋଟା ଲୋକସଭା ଆସନ ଜିତିଛନ୍ତି।

ସୂଚନାଯୋଗ୍ୟ ଯେ ସ୍ବାଧୀନତା ପରେ ୧୯୫୨, ୧୯୬୭ ଏବଂ ୧୯୭୬ ମସିହାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା। ୧୯୫୨ରେ ‌ହୋଇଥିବା ପ୍ରଥମ ବାଚସ୍ପତି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିଭି ମାଭଲଙ୍କର ବିରୋଧୀ ଦଳର ଶାନ୍ତାରାମ ମୋରେଙ୍କୁ ପରାସ୍ତ କରିଥିଲେ। ମାଭଲଙ୍କର ୩୯୪ ଭୋଟ୍ ପାଇଥିବା ବେଳେ ମୋ‌ରେ ୫୫ ଖଣ୍ଡ ଭୋଟ୍ ପାଇଥିଲେ। ୧୯୬୭ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନରେ କଂଗ୍ରେସର ଏନ୍. ସଂଜୀବ ରେଡୀ ନିର୍ବାଚିତ ହୋଇଥିଲେ। ତାଙ୍କୁ ୨୭୮ଟି ଭୋଟ୍ ମିଳିଥିବା ବେଳେ ବିରୋଧୀ ଦଳ ପ୍ରାର୍ଥୀ ଟି. ବିଶ୍ବନାଥନଙ୍କୁ ୨୦୭ ଭୋଟ୍ ମିଳିଥିଲା। ସେହିଭଳି ୧୯୭୬ରେ କଂଗ୍ରେସର ବଳରାମ ଝାଖଡ଼ ୩୪୪ ଭୋଟ୍ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଜଗନ୍ନାଥ ରାଓ ଯୋଶୀଙ୍କୁ ମିଳିଥିଲା ମାତ୍ର ୫୮ଟି ଭୋଟ୍। ତେବେ ୧୯୯୮ରେ ଭିନ୍ନ ପ୍ରକାର ପରିସ୍ଥିତି ଦେଖିବାକୁ ମିଳିଥିଲା। ପିଏ ସାଙ୍ଗମାଙ୍କୁ ବାଚସ୍ପତି କରିବା ଲାଗି କଂଗ୍ରେସ ନେତା ଶରଦ ପାୱାର ଲୋକସଭାରେ ପ୍ରସ୍ତାବ ଆଗତ କରିଥିଲେ, କିନ୍ତୁ ଏହା କାଟ୍ ଖାଇଯାଇଥିଲା। ଏହାପରେ ଟିଡିପିର ଜିଏମ୍‌ସି ବାଲଯୋଗୀଙ୍କୁ ବାଚସ୍ପତି କରିବା ଲାଗି ପ୍ରଧାନମନ୍ତ୍ରୀ ବା‌ଜପେୟୀ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହା ଗୃହୀତ ହୋଇଥିଲା। ଆଉ ଏକ ଉଲ୍ଳେଖନୀୟ କଥା ହେଉଛି ଯେ ସ୍ବାଧୀନତା ପରେ ୪ ଜଣ ବାଚସ୍ପତି ନିର୍ବାଚନ ପ‌ରେ‌ ମଧ୍ୟ ସେମାନଙ୍କର ପଦ ବଜାୟ ରଖିଥିଲେ। ସେମାନେ ହେଲେ ଏମ୍‌ଏ ଆୟଙ୍ଗର, ଜିଏସ୍ ଧିଲନ୍, ବଳରାମ ଝାଖଡ଼ ଏବଂ ଜଏମ୍‌ସି ବାଲଯୋଗୀ। ଏବେ ବିର୍ଲାଙ୍କ ନାମ ଏହି ତାଲିକାରେ ଯୋଡ଼ି ହୋଇଛି।