ନୂଆଦିଲ୍ଲୀ: ବିଜେପିର ଓମ୍ ବିର୍ଲା ଲୋକସଭା ବାଚସ୍ପତି ଭାବେ ଆଜି ପୁଣି ନିର୍ବାଚିତ ହୋଇଛନ୍ତି। ଗତ ୨୫ ବର୍ଷ ପରେ ନିମ୍ନ ସଦନରେ ପଦ ବଜାୟ ରଖିବାରେ ସେ ହେଉଛନ୍ତି ପ୍ରଥମ ବାଚସ୍ପତି। ବିର୍ଲାଙ୍କୁ ବାଚସ୍ପତି କରିବା ପାଇଁ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଗତ ପ୍ରସ୍ତାବ ବାଚନିକ ଭୋଟ୍‌ରେ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନେକ ଶୀର୍ଷ ନେତା ମୋଟ ୧୬ଟି ପ୍ରସ୍ତାବ ଆଗତ କରିଥିଲେ, ଯେଉଁଥିରେ ବିର୍ଲାଙ୍କ ସପକ୍ଷରେ ୧୩ଟି ପ୍ରସ୍ତାବ ଆସିଥିଲା। କଂଗ୍ରେସ କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ କରିଥିବା ବେଳେ ମତ ବିଭାଜନ ପାଇଁ କୌଣସି ପ୍ରସ୍ତାବ ରଖିନଥିଲା। ବାଚନିକ ଭୋଟ୍‌ ପରେ ଅସ୍ଥାୟୀ ବାଚସ୍ପତି ଭର୍ତ୍ତୃହରି ମହତାବ ବିର୍ଲାଙ୍କୁ ବିଜୟୀ ଘୋଷଣା କରିଥିଲେ। ସଂସଦୀୟ ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିର୍ଲାଙ୍କୁ ବାଚସ୍ପତି ଆସନ ଯାଏ ପାଛୋଟି ନେଇଥିଲେ, ଯେଉଁଠାରେ ମହତାବ ଆସନରୁ ଉଠି ବିର୍ଲାଙ୍କୁ ସ୍ବାଗତ କରିଥିଲେ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ବିର୍ଲାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଗତ ପାଳିରେ ବାଚସ୍ପତି ଭାବେ ତାଙ୍କର ଅଭିଜ୍ଞତା ଦେଶକୁ ଆହୁରି ମାର୍ଗଦର୍ଶନ ଦେବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଥିଲେ, ଅମୃତ କାଳରେ ଦ୍ୱିତୀୟ ଥର ପାଇଁ ଏହି ପଦରେ ବସିବା ଆପଣଙ୍କ ପାଇଁ ଏକ ବଡ଼ ଦାୟିତ୍ୱ। ‘ଆପକେ ଚେହେରେ ପର ୟେ ମିଠି ମିଠି ମୁସ୍କାନ୍ ପୂରା ସଦନ କୋ ପ୍ରସନ୍ନ ରଖତି ହୈ' (ଆପଣଙ୍କ ମୁହଁରେ ମିଠା ମିଠା ହସ ପୂରା ଗୃହକୁ ପ୍ରସନ୍ନ ରଖିଥାଏ)। ଆପଣଙ୍କ କାର୍ଯ୍ୟ ନୂତନ ଲୋକସଭା ସଦସ୍ୟଙ୍କ ପାଇଁ ପ୍ରେରଣା ହେବା ଉଚିତ ବୋଲି ସେ କହିଥିଲେ। ବିର୍ଲାଙ୍କ ଅଧ୍ୟକ୍ଷତାରେ ହାସଲ ହୋଇଥିବା ଅନେକ ଉପଲବ୍ଧି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀ ତାଙ୍କର ପ୍ରଥମ ଭାଷଣରେ ଗୃହକୁ ସୁରୁଖୁରୁରେ ଚଳାଇବାରେ ବିରୋଧୀଙ୍କ ସହଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବାଚସ୍ପତିଙ୍କୁ ମଧ୍ୟ ନିରପେକ୍ଷତା ଅବଲମ୍ବନ କରିବା ପାଇଁ ସେ ଅନୁରୋଧ କରିଥିଲେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା କୋଟା ସଂସଦୀୟ ଆସନରୁ ୪୧,୧୩୯ରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ୨୦ ବର୍ଷ ମଧ୍ୟରେ ପ୍ରଥମ ବାଚସ୍ପତି ଭାବେ ନିମ୍ନ ସଦନକୁ ପୁନର୍ବାର ନିର୍ବାଚିତ ହୋଇଛନ୍ତି। ନିମ୍ନ ସଦନକୁ ପୁନଃନିର୍ବାଚିତ ହୋଇଥିବା ଶେଷ ଲୋକସଭା ବାଚସ୍ପତି ଥିଲେ ପିଏ ସାଙ୍ଗମା, ଯିଏ କି ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ ଏକାଦଶ ଲୋକସଭାର ବାଚସ୍ପତି ଥିଲେ। ସେତେବେଳେ କଂଗ୍ରେସ ସଦସ୍ୟ ଥିବା ସାଙ୍ଗମା ୧୯୯୮ ଲୋକସଭା ନିର୍ବାଚନରେ ମେଘାଳୟର ତୁରାରୁ ପୁନର୍ବାର ନିର୍ବାଚିତ ହୋଇଥିଲେ। ୧୯୯୯ରେ ଆନ୍ଧ୍ରପ୍ରଦେଶର ଅମଲାପୁରମ୍‌ରୁ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସଦସ୍ୟ ଜିଏମ୍‌ସି ବାଲାଯୋଗୀ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୨ରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଲାଯୋଗୀଙ୍କ ସ୍ଥାନରେ ଶିବସେନା ସଦସ୍ୟ ମନୋହର ଯୋଶୀ ଲୋକସଭା ବାଚସ୍ପତି ହୋଇଥିଲେ। ତେବେ ୨୦୦୪ ଲୋକସଭା ନିର୍ବାଚନରେ ଯୋଶୀ ମୁମ୍ବାଇ ଉତ୍ତର କେନ୍ଦ୍ରୀୟ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ନେତା ଏକନାଥ ଗାଇକୱାଡ଼ଙ୍କଠାରୁ ହାରିଯାଇଥିଲେ।

୨୦୦୪ରେ ବୋଲପୁର ଆସନରୁ ବିଜୟୀ ହୋଇଥିବା ସିପିଆଇ(ଏମ୍) ସଦସ୍ୟ ସୋମନାଥ ଚାଟାର୍ଜୀ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୦୯ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ସହ ମତଭେଦ ହେବାରୁ ଚାଟାର୍ଜୀ ରାଜନୀତିରୁ ଅବସର ନେଇଥିଲେ। ୨୦୦୯ରେ କଂଗ୍ରେସ ସଦସ୍ୟା ମୀରା କୁମାର ବିହାରର ସାସାରାମ ସଂସଦୀୟ ଆସନରୁ ବିଜୟୀ ହୋଇ ପଞ୍ଚଦଶ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ଓ ୨୦୧୯ ନିର୍ବାଚନରେ ମୀରା ପରାଜିତ ହୋଇଥିଲେ। ୨୦୧୪ରେ ଇନ୍ଦୋରରୁ ବିଜେପି ସଦସ୍ୟା ସୁମିତ୍ରା ମହାଜନ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ମହାଜନଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କରି ନ ଥିଲା। ୨୦୧୯ରେ କୋଟାରୁ ଲୋକସଭା ସଦସ୍ୟ ଥିବା ବିଜେପିର ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ରେ ବିର୍ଲା କଂଗ୍ରେସର ପ୍ରହ୍ଲାଦ ଗୁଞ୍ଜଲଙ୍କୁ ପରାସ୍ତ କରି କୋଟା ସଂସଦୀୟ ଆସନ ବଜାୟ ରଖିଛନ୍ତି।