ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇଂଜିନ୍ ବିଶିଷ୍ଟ ସି-ପ୍ଲେନ୍ରେ ଧରୋଇ ଡ୍ୟାମ୍କୁ ଗସ୍ତ କରି ସେଠାରେ ପ୍ରସିଦ୍ଧ ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଅହମ୍ମଦାବାଦ୍ରେ ରୋଡ୍ ସୋ’ କରିବା ଲାଗି ମୋଦିଙ୍କୁ ପ୍ରଶାସନିକ ଅନୁମତି ନ ମିଳିବାର କିଛି ଘଣ୍ଟା ପରେ ସେ ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ଅମ୍ବାଜୀ ମନ୍ଦିରକୁ ଯାଇଥିଲେ। ତେବେ ଏ ନେଇ ବିବାଦ ଦେଖା ଦେଇଛି । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପ୍ରଶ୍ନ ଉଠାଇଛନ୍ତି କି, ସୁରକ୍ଷା ନିୟମ ଅନୁଯାୟୀ ଏକ ଇଂଜିନ୍ ବିଶିଷ୍ଟ ବିମାନରେ ଦେଶର ପ୍ରଧାନମନ୍ତ୍ରୀ ଗସ୍ତ କରିବା ଉଚିତ୍ ନୁହେଁ । ଏହା ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି । ସେ ଯୁକ୍ତିି ବାଢିଛନ୍ତି, ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଦେଶର କୌଣସି ଭିଭିଆଇପିଙ୍କୁ ଏକ ଇଂଜିନ୍ ବିଶିଷ୍ଟ ବିମାନରେ ଯାତ୍ରା ଲାଗି ଅନୁମତି ଦିଆଯିବା ଉଚିତ୍ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ଲାଗି କିଭଳି ସୁରକ୍ଷା ଆଇନର ଉଲଙ୍ଘନ କରାଗଲା?
ଅନ୍ୟପକ୍ଷରେ ସି ପ୍ଲେନ୍ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଭାରତୀୟ ଜନତା ପାର୍ଟି ଉତ୍ସାହର ସହ ଉପସ୍ଥାପନ କରିଛି । ବିଜେପି ପକ୍ଷରୁ କୁହାଯାଇଛି କି ଏହା ସି-ପ୍ଲେନ୍ରେ ଦେଶର ପ୍ରଥମ ଉଡାଣ, ଯାହାକି ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ତେବେ ଏହି ସି-ପ୍ଲେନକୁ ଜଣେ ବିଦେଶୀ ପାଇଲଟ ଚାଳନା କରୁଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସାଧାରଣ ଭାବେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ବାୟୁସେନାର ପାଇଲଟ୍ ଉଡାଣ କରୁଥିବା ସ୍ଥଳେ ଜଣେ ବିଦେଶୀଙ୍କୁ କିଭଳି ଏହାର ଦାୟିତ୍ୱ ଦିଆଗଲା, ତାହା ବିବାଦ ଘେରକୁ ଆସିଛି।
ଗୁଜୁରାଟ ନିର୍ବାଚନାର ପ୍ରଚାରର ଶେଷ ଦିନରେ ମୋଦି କଡା ସୁରକ୍ଷା ବଳୟ ଭିତରେ ଅମ୍ବାଜୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଫେରିଛନ୍ତି ।