ଆଜି ମୁକ୍ତ ହେବେ ୭ ମାସ ହେଲା ଅଟକ ଥିବା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର: ସାତ ମାସ ହେବ ଅଟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଆଜି ମୁକ୍ତ କରାଯିବ ବୋଲି ଜମ୍ମୁ ଓ କଶ୍ମୀର ପ୍ରଶାସନ ଘୋଷଣା କରିଛି । ଦୁଇ ସପ୍ତାହ ପୂର୍ବେ ତାଙ୍କ ବାପା ଫାରୁକ୍ ଅବଦୁଲ୍ଲାଙ୍କୁ ଅଟକ ମୁକ୍ତ କରାଯାଇଥିଲା ।

ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ସମୟରୁ ଓମାର ଅବଦୁଲ୍ଲାଙ୍କୁ ଅଟକ ରଖାଯାଇଛି । ତାଙ୍କୁ ମୁକ୍ତ କରିବାକୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏକ ଆଦେଶନାମା ଜାରି କରିଛନ୍ତି । ପବ୍ଲିକ୍ ସେଫ୍ଟି ଆକ୍ଟରେ ଓମାରଙ୍କୁ ବୁକ୍ କରାଯାଇଥିଲା । ତାଙ୍କ ଉପରେ ଲାଗୁ କରାଯାଇଥିବା ପବ୍ଲିକ୍ ସେଫ୍ଟି ଆକ୍ଟ୍ ମଧ୍ୟ ପ୍ରତ୍ୟାହାର କରିନିଆଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଇତିମଧ୍ୟରେ ଓମାର ହାଜତରେ ୨୩୨ଦିନ ବିତାଇ ସାରିଲେଣି । ହାଜତରେ ହିଁ ସେ ୫୦ ବର୍ଷରେ ପଦାର୍ପଣ କରିଥିଲେ ।

Image Source: India Today

ତାଙ୍କ ଅଟକକୁ ଅସାମ୍ବିଧାନିକ ଦର୍ଶାଇ ଭଉଣୀ ସାରା ଅବ୍ଦୁଲ୍ଲା ପାଇଲଟ୍ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓମାରଙ୍କୁ ମୁକ୍ତ କରାଯିବ କି, ନାହିଁ ସ୍ପଷ୍ଟ କରିବାକୁ ସୁପ୍ରିମ୍ କୋର୍ଟଙ୍କ ଦୁଇଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ସରକାରଙ୍କୁ ଗତ ସପ୍ତାହରେ ନିର୍ଦେଶ ଦେଇଥିଲେ । ନଚେତ ସାରାଙ୍କ ପିଟିସନର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ସତର୍କ କରାଇଦେଇଥିଲେ ।

ଜମ୍ମୁ ଓ କଶ୍ମୀର ପିପଲ୍ସ୍ ଡେମୋକ୍ରାଟିକ୍ ପାର୍ଟିର ନେତ୍ରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଏବେ ମଧ୍ୟ ଅଟକ ଅଛନ୍ତି ।

ସମ୍ବନ୍ଧିତ ଖବର