୧୯ ଦିନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱର ଦର

ନୂଆଦିଲ୍ଲୀ: ବୋଧହୁଏ କର୍ଣ୍ଣାଟକ ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ତେଲ କମ୍ପାନିମାନେ ଅପେକ୍ଷା କରିଥିଲେ । ବିଶ୍ୱ ବଜାରରେ ତେଲ ଦର ବଢିଚାଲିଥିଲେ ମଧ୍ୟ ଗତ ୧୯ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ନଥିଲା । ଏବେ ନିର୍ବାଚନ ସରିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବଢିଛି । ପେଟ୍ରୋଲ ଲିଟର ପିଛା ୧୭ ପଇସା ଓ ଡିଜେଲ ୨୧ ପଇସା ବଢିଛି । ଏହା ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ.୭୪.୮୦ ପଇସା ଓ ଡିଜେଲ ୬୬ଟଙ୍କା ୧୪ ପଇସାକୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଇଣ୍ଡିଆନ ଅଏଲର ନନ-ବ୍ରାଣ୍ଡେଡ୍‌ ପେଟ୍ରୋଲ ଟ.୭୩.୬୪ , ଡିଜେଲ ଟ.୭୦.୮୮ କୁ ବୃଦ୍ଧି ପାଇଛି ।

ଆଗାମୀ ଦିନରେ ମଧ୍ୟ ତେଲ ଦର ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ବିିଶ୍ୱ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି । ବିଶ୍ୱ ବଜାରରେ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଯାଇଛି ଆଗାମୀ ଦିନରେ ଏହା ୮୦ ଡଲାର ଟପିବ ବୋଲି ଅଟକଳ କରାଯାଉଛି । ଆମେରିକା ପୁଣି ଥରେ ଇରାନ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛି । ଏହା ଫଳରେ ଇରାନ ବିଶ୍ୱ ବଜାରରେ ତେଲ ବିକ୍ରି କରିପାରିବ ନାହିଁ । ଇରାନ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ । ବିଶ୍ୱର ତୈଳ ଯୋଗାଣର ପ୍ରାୟ ୪ ପ୍ରତିଶତ ଇରାନରୁ ଆସିଥାଏ । ଅନ୍ୟପକ୍ଷରେ ପେଟ୍ରୋଲିୟମ ଉତ୍ପାଦନକାରୀ ସଂଘ ଓପେକର ଦେଶମାନେ ଦର ବଢାଇବାକୁ ତୈଳ ଉତ୍ପାଦନ ଜାଣିଶୁଣି କମ କରୁଛନ୍ତି ।

ସମ୍ବନ୍ଧିତ ଖବର