ନୂଆଦିଲ୍ଲୀ: ଦେଶରେ ଡେଲ୍ଟା ପ୍ରଜାତିକୁ ପଛରେ ପକାଇ ଦେଇଛି ଓମିକ୍ରନ୍। କରୋନା ସଂକ୍ରମଣ ଏବଂ କରୋନ ପଜିଟିଭ୍ ଅନ୍ତର୍ଜାତୀୟ ଯାତ୍ରୀଙ୍କ କ୍ଷେତ୍ରରେ ଡେଲଟାକୁ ଓମିକ୍ରନ୍ ପଛରେ ପକାଇଛି। କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ମଧ୍ୟରେ ୮୦ ପ୍ରତିଶତ ଓମିକ୍ରନ୍ ମାମଲା ରହିଛି।
କିନ୍ତୁ ଚିହ୍ନଟ ହୋଇଥିବା ଓମିକ୍ରନ୍ ମାମଲାର ୧ ତୃତୀୟାଂଶ ମାମଲାରେ ସାମାନ୍ୟ ସଂକ୍ରମଣ ରହୁଛି ଏବଂ ବାକି ମାମଲାରେ କୌଣସି ଲକ୍ଷଣ ରହୁନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଏଯାବତ ଦେଶରେ ୨୩ ରାଜ୍ୟରେ ମୋଟ୍ ୧୨୭୦ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଟେଷ୍ଟିଂ କମିଥିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟେଷ୍ଟିଂ ବଢ଼ାଇବାପାଇଁ କହିଛନ୍ତି। ୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟେଷ୍ଟିଂ ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଦେଶରେ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହେବା ପରଠାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମିସନ୍ ମୋଡ୍ରେ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶରେ କରୋନା ସ୍ଥିତି ସମୀକ୍ଷା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ କରୁଛନ୍ତି।
ମିଜୋରାମ: ୨୪୩ ନୂଆ ସଂକ୍ରମିତଙ୍କ ମଧ୍ୟରେ ୬୩ ଶିଶୁ
ନୂଆଦିଲ୍ଲୀ : ମିଜୋରାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୧,୪୦୦କୁ ବୃଦ୍ଧି ପାଇଛି। ମିଜୋରାମରେ ୨୪୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬୩ ଜଣ କେବଳ ଶିଶୁ ଥିବା ଜଣାପଡ଼ିଛି। ମିଜୋରାମରେ କୌଣସି ନୂ୍ଆ ମୃତ୍ୟୁ ହୋଇନାହିଁ। ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୫୪୨ ରହିଛି। କିନ୍ତୁ ରାଜ୍ୟରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ।
ଆମେରିକାରେ ଶିଶୁଙ୍କ ସଂକ୍ରମଣ ବଢ଼ୁଛି
ୱାସିଂଟନ୍ : ଆମେରିକାରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଛି। ଅଧିକ ସଂଖ୍ୟାରେ ଶିଶୁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଆମେରିକାରେ ଗତକାଲି ୫,୮୦,୦୦୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତେବେ ଅଧିକରୁ ଅଧିକ ଶିଶୁ ହସ୍ପିଟାଲ୍ରେ ଭର୍ତ୍ତି ହେବା ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ଡିସେମ୍ବର ୨୨-୨୮ ମଧ୍ୟରେ ଆମେରିକାରେ ପ୍ରତିଦିନ ହାରାହାରି ୩୭୮ ଶିଶୁ କରୋନା ସଂକ୍ରମିତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।