ନୂଆଦିଲ୍ଲୀ : ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ସତର୍କ ରହିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଡେଲଟା ତୁଳନାରେ ଓମିକ୍ରନ ୩ଗୁଣ ଅଧିକ ସଂକ୍ରାମକ । ଏଣୁ ସଂକ୍ରମଣ ସଂଖ୍ୟା ଯେତେ କମ ଥିଲେ ବି ହେୟଜ୍ଞାନ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରମାନେ ନିଜର କୋଭିଡ୍ ଓ୍ବାରରୁମକୁ ପୁଣି ସକ୍ରିୟ କରିବା ସହ ଜିଲ୍ଲାସ୍ତରରୁ ଆସୁଥିବା ତଥ୍ୟର ବିଶ୍ଳେଷଣ କରିବାକୁ ସେ କହିଛନ୍ତି । ଏହାସହିତ ହସପିଟାଲ ଭିତ୍ତିଭୂମି, ମାନବ ସମ୍ବଳର ସମୀକ୍ଷା କରିବା ସହ କଣ୍ଟେନମେଣ୍ଟ ଜୋନ ଆଦି ପଦକ୍ଷେପ ନେବାକୁ ସେ କହିଛନ୍ତି । ବିଶେଷକରି ସ୍ଥାନୀୟ ସ୍ତରରେ ସଂକ୍ରମଣକୁ ରୋକିବା ଉପରେ ଗୁରୁତ୍ବ ଦେବାକୁ ଏବଂ ଫିଲଡ ଅଫିସରମାନଙ୍କ ଦ୍ବାରା ସ୍ଥିତିର ନିୟମିତ ସମୀକ୍ଷା କରିବାକୁ ଓ ଆବଶ୍ୟକ ପଡ଼ିଲେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଯାଇଛି । ଓଡ଼ିଶାରେ ଆଜି ପ୍ରଥମଥର ପାଇଁ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଚିନ୍ତାର କାରଣ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି ।