୫୭ ରାଷ୍ଟ୍ରରେ ଓମିକ୍ରନ୍‌ର ବିଏ.୨-ପ୍ରଜାତି, ଡେଲ୍‌ଟା ପରି ମାରାତ୍ମକ ହେବନାହିଁ

ନୂଆଦିଲ୍ଲୀ : କରୋନା ଭୂତାଣୁ ଓମିକ୍ରନ୍ ପ୍ରଜାତିର ନୂଆ ସବ୍-ଷ୍ଟ୍ରେନ୍ ବିଏ.୨ ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି। କୋଭିଡ୍-୧୯ ସହ ଲଢ଼େଇରେ ଏହା ଏକ ନୂତନ ଆହ୍ବାନ ସୃଷ୍ଟି କରିଛି। ଅନ୍ତତଃ ୫୭ଟି ଦେଶରେ ଏହି ସବ୍-ଷ୍ଟ୍ରେନ୍ ଦେଖାଗଲାଣି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା (ହୁ) ପକ୍ଷରୁ କୁହାଯାଇଛି।

ଜର୍ଜ ୱାସିଂଟନ ୟୁନିଭର୍ସିଟି ଅଧୀନ ମିଲ୍‌କେନ୍ ଇନ୍‌ଷ୍ଟିଚ୍ୟୁଟ୍ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍‌ଥର ସ୍ବାସ୍ଥ୍ୟ ନୀତି ଓ ପରିଚାଳନା ବିଭାଗ ପ୍ରାଧ୍ୟାପିକା ଡ. ଲିନା ୱେନ କହିଛନ୍ତି, ଆମେ ଏ ନୂଆ ସବ୍-ଷ୍ଟ୍ରେନ୍ କ’ଣ କରୁଛି ତାହା ଅନୁଧ୍ୟାନ କରିବା ଓ ସତର୍କ ରହିବା କିନ୍ତୁ ବ୍ୟସ୍ତ ହେବା ନାହିଁ। କେତେକ ସ୍ଥାନରେ ସବୁଠାରୁ ଅଧିକ ସଂକ୍ରାମକ ଓମିକ୍ରନ୍‌ର ମୂଳ ଭାରିଆଣ୍ଟ ବିଏ.୧ର ସ୍ଥାନ ନେଉଛି ବିଏ.୨।

ଏହି ଅବସରରେ ଡ. ୱେନ୍ କହିଛନ୍ତି ଯେ, ଓମିକ୍ରନ୍ କରୋନା ଭୂତାଣୁର ଶେଷ ଅବତାର ନ ହୋଇପାରେ। ସବୁ ସମୟରେ ଭୂତାଣୁର ନୂଆ ନୂଆ ଅବତାର ଆତ୍ମପ୍ରକାଶ କରିବା ଦେଖାଯାଉଛି। କାରଣ ଏହା ହେଉଛି ଭୂତାଣୁଙ୍କ ସ୍ବଭାବ। ଯେତେବେଳେ ସେମାନେ ବଂଶବୃଦ୍ଧି କରନ୍ତି, ଜିନୀୟ ସଂରଚନାରେ କିଛି ପରିବର୍ତ୍ତନ (ମ୍ୟୁଟେସନ) ବି କରନ୍ତି। ସେଥିପାଇଁ ରିଅଲ-ଟାଇମ୍ ସର୍ଭେଲାନ୍ସ ଏତେ ଗୁରୁତ୍ବପୂର୍ଣ୍ଣ ଏବଂ ଟିକାକରଣ ମୁକାବିଲାର ପ୍ରଧାନ ଅସ୍ତ୍ର।

ସମ୍ବନ୍ଧିତ ଖବର