କେପ୍ ଟାଉନ୍ : ଓମିକ୍ରନ୍ ସଂକ୍ରମିତଙ୍କଠାରେ ପ୍ରଥମେ ଯେଉଁସବୁ ଲକ୍ଷଣ ବିଷୟରେ ରିପୋର୍ଟ କରାଯାଇଥିଲା, ଅନ୍ୟମାନଙ୍କଠାରେ ଅବିକଳ ସେହି ଲକ୍ଷଣ ପ୍ରକାଶ ନ ପାଇପାରେ। କାରଣ ପ୍ରଥମେ ପିଲାମାନେ ଏହାଦ୍ବାରା ସଂକ୍ରମିତ ହୋଇଥିଲେ ଏବଂ ଏବେ ବୟସ୍କମାନେ ବି ସଂକ୍ରମିତ ହେଲେଣି। ଉଭୟଙ୍କ ଲକ୍ଷଣ ନିଶ୍ଚୟ ଏକା ହେବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Advertisment

ବୈଜ୍ଞାନିକମାନେ କହିଛନ୍ତି ଯେ, ଟିକା-ଜନିତ ପ୍ରତିରୋଧକତାକୁ ଅତିକ୍ରମ କରିବାର କ୍ଷମତା ଓମିକ୍ରନ୍‌ର ଥିଲେ ମଧ୍ୟ ଏହା ସବୁ ପ୍ରତିରୋଧକତାକୁ ଅତିକ୍ରମ କରିପାରିବ ନାହିଁ। ସବୁ ଟିକାକୁ ଏହା ଅକାମୀ ସାବ୍ୟସ୍ତ କରିପାରିବ ନାହିଁ। ତେବେ ଏ ଭାରିଆଣ୍ଟ ବିଷୟରେ ଏବେ ବେଶି କିଛି ଜଣାଯାଇ ନାହିଁ। ଆଫ୍ରିକାରେ ଆବିଷ୍କୃତ ହେବା ପରେ ବିଶ୍ବ ସମୁଦାୟ ଏହାକୁ ଚିହ୍ନିବାକୁ ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ତଥ୍ୟ ଅନୁସାରେ- ଏହି ଭାରିଆଣ୍ଟ ଟିକାର ପ୍ରତିରୋଧକତା-ଭେଦୀ, ମାତ୍ର ସମ୍ପୂର୍ଣ୍ଣରୂପେ ନୁହେଁ। ଦକ୍ଷିଣ ଆଫ୍ରିକାରେ ସବୁଠାରୁ ପ୍ରଭାବଶାଳୀ ଭାରିଆଣ୍ଟ ଥିଲା ଡେଲ୍‌ଟା। ଓମିକ୍ରନ୍ ତାକୁ ଖୁବ୍ ଶୀଘ୍ର ଅତିକ୍ରମ କରି ସଂକ୍ରାମକତାରେ ଏକ ନମ୍ବର ହେବାକୁ ଯାଉଛି। କିନ୍ତୁ ଟିକା ନେଇଥିବା ଲୋକମାନେ ତଥାପି ସୁରକ୍ଷା ପାଇପାରିବେ। ଦକ୍ଷିଣ ଆଫ୍ରିକାର ୯ରୁ ୫ଟି ପ୍ରଦେଶରେ ଓମିକ୍ରନ୍ କାୟା ବିସ୍ତାର କରିସାରିଛି।

ପୂର୍ବରୁ ଦକ୍ଷିଣ ଆଫ୍ରିକାର ଡାକ୍ତରମାନେ କହିଥିଲେ ଯେ, ଓମିକ୍ରନ୍ ସଂକ୍ରମଣ କ୍ଷେତ୍ରରେ ରୋଗର ଲକ୍ଷଣ ସାମାନ୍ୟ ଥିଲା। କିନ୍ତୁ କ୍ରିପ୍ସ ଜେନୋମିକ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ସଂକ୍ରାମକ ରୋଗ ବିଶେଷଜ୍ଞ ରିଚାର୍ଡ ଲେସେଲ୍ସ କହିଛନ୍ତି, ଏ ଭାରିଆଣ୍ଟର ମାରାତ୍ମକତା ଏବେ ଜଣାପଡ଼ିବନି। କାରଣ ଯେଉଁମାନେ ସଂକ୍ରମିତ ହୋଇଛନ୍ତି, ସେମାନେ ମୁଖ୍ୟତଃ ପିଲା। ଯେଉଁ ବୟସ୍କମାନେ ସଂକ୍ରମିତ ହୋଇଛନ୍ତି, ସେମାନେ ପୂର୍ବରୁ ଅନ୍ୟ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିଲେ କିମ୍ବା ଟିକା ନେଇଥିଲେ ଏବଂ ଏହାଦ୍ବାରା ସେମାନଙ୍କଠାରେ ଆଣ୍ଟିବଡ଼ି ଓ ରୋଗପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଥିଲା। ତେଣୁ ଓମିକ୍ରନ୍ ସେମାନଙ୍କ ଅବସ୍ଥା ଗୁରୁତର କରିପାରି ନାହିଁ। ପୂର୍ବରୁ ସଂକ୍ରମିତ ହୋଇ ନ ଥିବା କିମ୍ବା ଆଦୌ ଟିକା ନେଇ ନ ଥିବା ବୟସ୍କ ବ୍ୟକ୍ତି ସଂକ୍ରମିତ ହେଲେ ଯାଇ ଜଣାପଡ଼ିବ, ଏ ଭାରିଆଣ୍ଟ ତାଙ୍କଠାରେ କି ପ୍ରଭାବ ପକାଉଛି।