ଆଣ୍ଟିଜେନ ପରୀକ୍ଷା ଓମିକ୍ରନ ଭାରିଏଣ୍ଟକୁ ଠାବ କରିପାରୁ ନାହିଁ!

ନୂଆଦିଲ୍ଲୀ: ସଂକ୍ରମଣ ଚିହ୍ନଟ କରିବା ପାଇଁ ସାଧାରଣ ଭାବେ ଆଣ୍ଟିଜେନ ଟେଷ୍ଟ କରାଯାଏ । ଆରଟିପିସିଆର ପରୀକ୍ଷା ଠାରୁ ଆଣ୍ଟିଜେନରେ କମ୍ ସମୟ ଲାଗେ । ଅପେକ୍ଷାକୃତ ସୁବିଧାଜନକ ବି । ହେଲେ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଆଣ୍ଟିଜେନ ଟେଷ୍ଟକୁ ନେଇ ଏକ ପ୍ରଶ୍ନବାଚୀ ଛିଡ଼ା କରାଇଛି ।

ଆମେରିକାର ଗବେଷକମାନେ ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ଯେ, ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ଅନେକ ସମୟରେ ଠିକ୍ ରିପୋର୍ଟ ଦେଉନାହିଁ । ଏପରିକି ସଂକ୍ରମିତ ଥିବା ଲୋକ ମଧ୍ୟ ଏହି ପରୀକ୍ଷାରେ ନେଗେଟିଭ୍ ଆସୁଛନ୍ତି ।

ଆମେରିକାରେ ଡିସେମ୍ବରରେ ୫ଟି ସ୍ଥାନରେ ୩୦ ସଂକ୍ରମିତଙ୍କ ପରୀକ୍ଷା କରାଯାଇଥିଲା । ନାକରୁ ସ୍ୱାବ ନିଆଯାଇ ଏମାନଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ହେଲେ ଏଥିରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହା ଆହୁରି ଦ୍ୱନ୍ଦ୍ୱ ବଢ଼ାଇ ଦେଇଥିଲା । କାରଣ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ରିପୋର୍ଟ ଆଣ୍ଟିଜେନରେ ନେଗେଟିଭ୍ ଆସିଲା । ପରେ ଏହି ଟେଷ୍ଟ ରିପୋର୍ଟକୁ ଆମେରିକାର କୋଭିଡ-୧୯ ସ୍ପୋର୍ଟସ ଓ ସୋସାଇଟି ୱାର୍କି ଗ୍ରୁପକୁ ଅଧ୍ୟୟନ ପାଇଁ ପଠାଗଲା ।

ଅଧିକ ଗବେଷଣା ପରେ ଯେଉଁ ତଥ୍ୟ ମିଳିଲା, ତାହା ଅନୁସାରେ ଅନେକ କ୍ଷେତ୍ରରେ ଆଣ୍ଟିଜେନ ପରୀକ୍ଷା ଓମିକ୍ରନ ଭାରିଏଣ୍ଟକୁ ଠାବ କରିପାରୁ ନାହିଁ, ଅର୍ଥାତ୍ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତି ଥିଲେ ବି, ତାଙ୍କର ରିପୋର୍ଟ ନେଗେଟିଭ୍ ଆସିପାରେ । ଓମିକ୍ରନ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଶୀଘ୍ର ସଂକ୍ରମଣ ଠାବ କରିବାକୁ ଲୋକେ ଆଣ୍ଟିଜେନ ଟେଷ୍ଟ କରିବାକୁ ପସନ୍ଦ କରୁଛନ୍ତି । ତେବେ ଗବେଷକମାନେ ଏକଥା ମଧ୍ୟ କହିଛନ୍ତି ଯେ, ଆଣ୍ଟିଜେନ ଟେଷ୍ଟ ବନ୍ଦ କରିବା ଠିକ୍ ନୁହେଁ । ବରଂ ଅଧିକ ଅନୁଧ୍ୟାନ ପରେ ଆହୁରି ତଥ୍ୟ ମିଳିପାରିବ ବୋଲି ସେମାନେ କହିଛନ୍ତି ।

ସମ୍ବନ୍ଧିତ ଖବର