ଦେଶରେ ଓମିକ୍ରନ ମାମଲା ୧ ହଜାର ନିକଟବର୍ତ୍ତୀ, ୩୨୦ ସୁସ୍ଥ ହେଲେଣି ; ସୂଚନା ଦେଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଏପର୍ଯ୍ୟନ୍ତ ମୋଟ ୯୬୦ଟି ଓମିକ୍ରନ ସଂକ୍ରମଣ ମାମଲା ଦେଖାଦେଇଛି । ସେମାନଙ୍କ ମଧ୍ୟରୁ  ୩୨୦ ଜଣ ସୁସ୍ଥ ହୋଇଗଲେଣି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ଯେ, ଦେଶରେ ଏବେ ପ୍ରାୟ ୮୨ ହଜାର ୪୦୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଗତ ଏକ ସପ୍ତାହ ହେଲା ହାରାହାରି ଦୈନିକ ପ୍ରାୟ ୮ ହଜାର ସଂକ୍ରମଣ ଚିହ୍ନଟ ହେଉଥିଲେ । ତେବେ ଗତ ୨୬ ତାରିଖଠାରୁ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ଟପିଯାଇଛି ।

ସେ କହିଛନ୍ତି ଯେ, ଦେଶର ପ୍ରାୟ ୯୦ ପ୍ରତିଶତ ପ୍ରାପ୍ତବୟସ୍କ (୧୮ ବର୍ଷରୁ ଅଧିକ ବୟସର) ଅତି କମରେ ଗୋଟିଏ ଲେଖାଏଁ କରୋନା ଟିକା ନେଇସାରିଲେଣି ।

ଏହି ଅବସରରେ ଆଇସିଏମଆର ଏମଡି ବଳରାମ ଭାର୍ଗବ କହିଛନ୍ତି ଯେ, ଏବେ ଉପଲବ୍ଧ କୋଭିଡ ଟିକାଗୁଡ଼ିକ ସଂକ୍ରମିତ ହେବାରୁ ରକ୍ଷା କରିବ ନାହିଁ କିନ୍ତୁ ଏହା ଗୁରୁତର ଅସୁସ୍ଥତା, ମୃତ୍ୟୁ ବା ଡାକ୍ତରଖାନାରେ ଭର୍ତ୍ତିହେବାରୁ ରକ୍ଷା କରିବ । ଅନ୍ୟପକ୍ଷରେ ଲୋକମାନେ ଅତି ଜରୁରୀ ନ ହେଲେ ଜନଗହଳିକୁ ନ ଯିବା ସହ ମାସ୍କ ପରିଧାନ କରିବା ଓ ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଆସନ୍ତା ୧୦ ତାରିଖରୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହେଉଥିବା ସତର୍କତାମୂଳକ ଟିକା ପାଇଁ ଏସଏମଏସ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ସୂଚୀତ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର