ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନାର ଓମିକ୍ରନ୍ ପ୍ରଜାତି ସଂକ୍ରମଣକୁ ନେଇ ଭୟ ବଢ଼ିଛି। ଓମିକ୍ରନ ଏବେ ଦେଶର ୧୫ ରାଜ୍ୟକୁ ବ୍ୟାପିଥିବା ବେଳେ ବିଭିନ୍ନ ରାଜ୍ୟରେ କଟକଣା କଡ଼ାକଡ଼ି ହୋଇଛି। ଦିଲ୍ଲୀରେ ଓମିକ୍ରନ୍ ମାମଲା ବୃଦ୍ଧି ପାଇବାରୁ ଦିଲ୍ଲୀ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ଦିଲ୍ଲୀରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାର୍ଟି ଉପରେ କଟକଣା ଲଗାଯାଇଛି। ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି ଏବଂ ବଡ଼ଧରଣର ଜନ ସମାଗମକୁ ବାରଣ କରାଯାଇଛି।
ଦିଲ୍ଲୀରେ ବୁଧବାର ଦିନ ୧୨୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ୬ ମାସରେ ସର୍ବାଧିକ। ଦିଲ୍ଲୀରେ ସକ୍ରିୟ ମାମଲା ୬୨୪ ରହିଛି। ୫ ମାସରେ ଦିଲ୍ଲୀରେ ଏବେ ସର୍ବାଧିକ କୋଭିଡ ରୋଗୀ ରହିଛନ୍ତି। ତେଣୁ ସଂକ୍ରମଣ ବ୍ୟାପିବା ଭୟରେ ଦିଲ୍ଲୀରେ ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ନିଷିଦ୍ଧ ହୋଇଛି। ରେସ୍ତୋରାଁ ଏବଂ ବାର୍ ଗୁଡ଼ିକ କେବଳ ୫୦ ପ୍ରତିଶତ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।
/sambad/media/post_attachments/wp-content/uploads/2021/12/vaccine-1.jpg)
ଦିଲ୍ଲୀ ସମେତ ପଂଜାବ, ହରିୟାଣା ଏବଂ ମହାରାଷ୍ଟ୍ରରେ ବି କୋଭିଡ୍ କଟକଣା କଡ଼ାକଡ଼ି ହୋଇଛି। ପଂଜାବରେ ଟିକାକରଣକୁ ନେଇ କଠୋର ନୀତି ଆରମ୍ଭ ହୋଇଛି। ପଂଜାବ ସରକାର କହିଛନ୍ତି, କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ନଥିଲେ ସରକାରୀ କର୍ମଚାରୀମାନଙ୍କୁ ଦରମା ମିଳିବ ନାହିଁ। ହରିୟାଣା ମଧ୍ୟ ଟିକା ନେଇନଥିବା ଲୋକମାନଙ୍କୁ ସାଧାରଣ ସ୍ଥଳକୁ ନିଷିଦ୍ଧ କରିଛି। ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍ କହିଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଡୋଜ୍ ଟିକା ନେଇନଥିବେ ସେମାନଙ୍କୁ ଆସନ୍ତା ଜାନୁଆରି ୧ରୁ ଆଉ ସାଧାରଣ ସ୍ଥଳକୁ ଯିବାପାଇଁ ଅନୁମତି ମିଳିବ ନାହିଁ। ବିବାହ ହଲ୍, ହୋଟେଲ୍, ବ୍ୟାଙ୍କ୍ , ସରକାରୀ ଅଫିସ୍ ଏବଂ ବସ୍ମାନଙ୍କରେ ଟିକା ନେଇନଥିବା ଲୋକମାନଙ୍କୁ ଅନୁମତି ମିଳିବନି ବୋଲି ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ, ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାର ସୁବିଧା ଟିକା ନେଇନଥିବା ଲୋକଙ୍କୁ ଦେଉନଥିବାରୁ ଏହାକୁ ଚାଲେଞ୍ଜ୍ କରି ବମ୍ବେ ହାଇକୋର୍ଟରେ ଆବେଦନ ହୋଇଥିଲା। ଆଜି ମହାରାଷ୍ଟ୍ର ସରକାର କୋର୍ଟରେ କହିଛନ୍ତି, ଯଦି ଟିକା ନେଇନଥିବା ଲୋକ ବସ୍ରେ ଅନ୍ୟମାନଙ୍କ ସହ ମିଶି ଯାତାୟତ କରିବେ ତେବେ ଅତି ବିସ୍ଫୋରକ ସ୍ଥିତି ସୃଷ୍ଟି ହେବ। ଗୁଜରାଟ ଏବଂ କର୍ଣ୍ଣାଟକରେ ମଧ୍ୟ କଟକଣା କଡ଼ାକଡ଼ି ହୋଇଛି। ଗୁଜରାଟର ୮ ପ୍ରମୁଖ ସହରରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ମୁମ୍ବାଇରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଧାରା ୧୪୪ ଜାରି ହୋଇଥିବାବେଳ ନଏଡ଼ା ଏବଂ ଲକ୍ଷ୍ନୌ ଜିଲ୍ଲାରେ ବି ଡିସେମ୍ବର ୩୧ ପର୍ଯ୍ୟନ୍ତ ୧୪୪ ଜାରି ହୋଇଛି।