ନୂଆଦିଲ୍ଲୀ: ଫେବ୍ରୁଆରିରେ ଶୀର୍ଷରେ ପହଞ୍ଚିବ ଓମିକ୍ରନ ସଂକ୍ରମଣର । ଭାରତରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏଭଳି ଏକ ଅନୁମାନ କରିଛି କୋଭିଡ ୧୯ ସୁପର ମଡେଲ କମିଟି । ଏହାର ଅର୍ଥ ନୂଆବର୍ଷ ଆରମ୍ଭରୁ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବରେ ବଢିଚାଲିବ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଓମିକ୍ରନ ସଂକ୍ରମଣ ଖୁବ ଜୋରରେ ବ୍ୟାପି ଚାଲିଛି ଏବଂ ଦେଢରୁ ତିନି ଦିନ ମଧ୍ୟରେ ଦୁଇ ଗୁଣା ହେଉଛି । ସେପଟେ ବିଦେଶରେ ସ୍ଥିତି ମଧ୍ୟ ସଙ୍ଗୀନ ହେଉଥିବା ଦେଖାଯାଇଛି। ୟୁରୋପୀୟ ରାଷ୍ଟ୍ରରେ କଟକଣା ବଢୁଛି । ଏଭଳି ସ୍ଥିତିରେ ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ କରିଥିବା ପୂର୍ବାନୁମାନ ଦେଶ ଏକ ବଡ ସଙ୍କଟକୁ ସାମ୍ନା କରିବାକୁ ଯାଉଥିବା ସଙ୍କେତ ଦେଉଛି । ଜାତୀୟ କୋଭିଡ୍ ୧୯ ମଡେଲ ପାନେଲ୍ ଅଧ୍ୟକ୍ଷ ପ୍ରଫେସର ବିଦ୍ୟାସାଗର କହିଛନ୍ତି ଯେ ଭାରତରେ ଓମିକ୍ରନ୍ ଯୋଗୁଁ ତୃତୀୟ ଲହର ଆସିବ କିନ୍ତୁ ତାହା ଦ୍ବିତୀୟ ଲହର ଭଳି ଘାତକ ହେବନାହିଁ। ଏହାର ପ୍ରଭାବ ତୁଳନାତ୍ମକ ଭାବେ କମ୍ ରହିବ।
ଏହି ଖବର ଶୁଣିବା ପରେ ଚଳିତବର୍ଷ ମେ’-ଜୁନ ମାସର ଘଟିଥିବା ଘଟଣା ମନେପଡ଼ିଯାଉଛି। ବେଡ୍ ଅଭାବ, ଆଇସିୟୁ ଅଭାବ, ଅମ୍ଳଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେବାରେ ଲାଗିଥିଲା। ତାଣ୍ଡବ ରଚିଥିଲା ଡେଲଟା। ସଂକ୍ରମଣ ସହ ବଢ଼ୁଥିବା ମୃତ୍ୟୁ ସଂଖ୍ୟା। ହେଲେ ଏବେ ଓମିକ୍ରନ ସଂକ୍ରମଣ ବଢ଼ୁଥିବା ବେଳେ ଆଗକୁ କ’ଣ ରହିପାରେ ସମ୍ଭାବ୍ୟ ସ୍ଥିତି, ତାକୁ ନେଇ ସତର୍କ କରାଇଛନ୍ତି କୋଭିଡ-୧୯ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଭିକେ ପଲ ।
ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ସଂକ୍ରମଣର ହାରକୁ ଲକ୍ଷ୍ୟ କରି ଯେ ଯେଉଁ ଆକଳନ କରିଛନ୍ତି, ତା’ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ୧୪ ଲକ୍ଷ ହୋଇପାରେ । ସେ କହିଛନ୍ତି ଯେ, ଏହି ଦୁଇ ଦେଶର ଲୋକସଂଖ୍ୟା ହିସାବରେ ଭାରତର ଲୋକସଂଖ୍ୟା ବହୁତ ଅଧିକ । ତେଣୁ ଭାରତରେ ସଂକ୍ରମଣ ମଧ୍ୟ ଅଧିକ ହେବ। ଏପରିକି ଦିନକୁ ୧୪ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିିତ ଚିହ୍ନଟ ହେବେ ବୋଲି ଡାକ୍ତର ପଲ୍ ପୂର୍ବାନୁମାନ କରିଛନ୍ତି । ତେଣୁ ସମ୍ଭାବ୍ୟ ସ୍ଥିତି ନେଇ ଅବହେଳା ନକରି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ, ଭାରତରେ ଗତ ୨୦ ଦିନ ହେବ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହିଛି । ଦେଶରେ ଏବେ ଆର ଭ୍ୟାଲୁ ସ୍ଥିର ରହିଥିବା ବେଳେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମଧ୍ୟରୁ ୫୦ ପ୍ରତିଶତ ଦୁଇଟି ଡୋଜ୍ ନେଇସାରିଲେଣି । ତେଣୁ ଓମିକ୍ରନ୍ ପ୍ରଭାବ କମ୍ ରହିବ ବୋଲି କିଛି ବିଶେଷଜ୍ଞ ଅନୁମାନ କରୁଛନ୍ତି।