ନୂଆଦିଲ୍ଲୀ : କରୋନାର ‘ଓମିକ୍ରନ୍’ ପ୍ରଜାତି ଏକ ଚିନ୍ତାଜନକ ପ୍ରଜାତି ଭାବେ ପରିଗଣିତ ହୋଇଛି। ଏହା ଖୁବ୍ଶୀଘ୍ର ବିଶ୍ବରେ ଏକ ପ୍ରଭାବଶାଳୀ ପ୍ରଜାତି ହେବାକୁ ଯାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିବା ଓମିକ୍ରନ୍ ଏବେ ୯୧ ରାଷ୍ଟ୍ରକୁ ବ୍ୟାପି ସାରିଛି। କରୋନା ଯୋଗୁଁ ସବୁଠୁ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ବି ଦ୍ରୁତ ଗତିରେ ଓମିକ୍ରନ୍ ମାଡ଼ି ଚାଲିଛି। ଆମେରିକାରେ ଡିସେମ୍ବର ୧ରେ ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା। ଏହାପରଠାରୁ ଆମେରିକାରେ ଓମିକ୍ରନ୍ ମାମଲା ବଢ଼ୁଛି।
ସିଡିସି (ରୋଗ ନିୟନ୍ତ୍ରଣ କେନ୍ଦ୍ର) ଅନୁଯାୟୀ ଆମେରିକାର ୩୮ ରାଜ୍ୟରେ କରୋନାର ଓମିକ୍ରନ୍ ପ୍ରଜାତି ଚିହ୍ନଟ ହୋଇଛି। ନ୍ୟୁୟର୍କ ଏବଂ ନ୍ୟୁଜର୍ସି ପରି ସ୍ଥାନମାନଙ୍କରେ ଓମିକ୍ରନ୍ ମାମଲା ସବୁଠାରୁ ଅଧିକ ରହିଛି। ନ୍ୟୁୟର୍କରେ କରୋନା ପଜିଟିଭ୍ ହାର ମାତ୍ର ୩ ଦିନରେ ଦ୍ବିଗୁଣା ହୋଇଛି। କିନ୍ତୁ ଆମେରିକାରେ ଡେଲ୍ଟା ଏବେ ବି ପ୍ରମୁଖ ପ୍ରଜାତି ହୋଇ ରହିଛି। ସିଡିସି ଅନୁଯାୟୀ ୨୦୦ ନିୟୁତ ଆମେରିକୀୟ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। କେବଳ ୫୬ ନିୟୁତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। ଆମେରିକାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୧,୪୩୫,୬୫୨ରେ ପହଞ୍ଚିଛି ଏବଂ କରୋନା ମୃତ୍ୟୁସଂଖ୍ୟା ୮୨୪,୫୨୦ ରହିଛି। ଆମେରିକାରେ ମୋଟ୍ ୪୦,୪୦୬,୭୯୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ବିଶ୍ବରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୭୩,୩୪୮,୬୮୨ ଥିବାବେଳେ ମୃତ୍ୟୁସଂଖ୍ୟା ୫,୩୫୫,୯୯୬ ରହିଛି।