ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ବଢୁଛି ଭୟ । ପୁରୁଣା ଭାରିଆଣ୍ଟ ଅପେକ୍ଷା ଏହା ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା କୁହାଯାଉଥିବାବେଳେ, ପୂର୍ବ ଅପେକ୍ଷା ଏହା ଅଧିକ ଘାତକ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଲୋକମାନଙ୍କୁ ବାରମ୍ବାର କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ଏହି କ୍ରମରେ ନେଦରଲ୍ୟାଣ୍ଡରେ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା କରୋନା ସଂକ୍ରମିତ ଦମ୍ପତ୍ତି ଚମ୍ପଟ ମାରିଥିଲେ।
କ୍ବାରେଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଥିବା କରୋନା ସଂକ୍ରମିତ ଦମ୍ପତ୍ତିଙ୍କୁ ଧରିବା ପାଇଁ ଡଚ ପୁଲିସ ତାର ଉଦ୍ୟମ ଜାରି ରଖିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ଉକ୍ତ ଦମ୍ପତ୍ତି ସ୍ପେନ ଯିବାକୁ ଯୋଜନା କରୁଥିବା ବେଳେ ତାଙ୍କୁ ବିମାନ ଭିତରୁ ଗିରଫ କରାଯାଇଥିଲା। ଗିରଫ ଦମ୍ପତ୍ତିଙ୍କୁ ଦେଶର ସ୍ବାସ୍ଥ୍ୟ ସେବାକୁ ହସ୍ତାନ୍ତର କରି ଦିଆଯାଇଛି। ଏ ଦୁହେଁ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ବିମାନ ଯୋଗେ ଏମଷ୍ଟର୍ଡମ ପହଞ୍ଚିଥିଲେ। ସନ୍ଦେହ କରାଯାଉଛି କି ଉକ୍ତ ଦମ୍ପତ୍ତି ସେହି ୬୧ଜଣ ଯାତ୍ରୀଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
ଏହି ଦମ୍ପତ୍ତି ଉତ୍ତର-ପଶ୍ଚିମ କେନେମରଲ୍ୟାଣ୍ଡ ଅଞ୍ଚଳରୁ ଏକ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଯେଉଁଠାରେ ଦକ୍ଷିଣ ଆଫ୍ରିକାର ଯାତ୍ରୀ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି।