ନୂଆଦିଲ୍ଲୀ : ଦେଶରେ ଆଜି ୩ ଶହରୁ ଅଧିକ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି ଏବଂ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍ ମାମଲା ରହିଛି। ବିଭିନ୍ନ ରାଜ୍ୟରେ ବିନା କୌଣସି ବିଦେଶ ଯାତ୍ରା ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ନଆସି ମଧ୍ୟ ଓମିକ୍ରନ୍ ସଂକ୍ରମଣ ବଢ଼ୁଛି। ଏହା ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣର ସଙ୍କେତ ବୋଲି କୁହାଯାଉଛି। ବୁଧବାର ଦିନ ଦେଶରେ ୨୧୫ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିଲା ଏବଂ ଏହାର ପୂର୍ବଦିନ ଦେଶରେ ଓମିକ୍ରନ୍ ମାମଲା ୧୩୫ ଥିଲା। ଦିଲ୍ଲୀରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୨୩୮କୁ ବୃଦ୍ଧି ପାଇଥିବା ବେଳେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୫ ଶହ ଛୁଇଁବାକୁ ଯାଉଛି। ଓମିକ୍ରନ୍ ମାମଲା ମଧ୍ୟରୁ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ୫୫ ପ୍ରତିଶତରୁ ଅଧିକ ଓମିକ୍ରନ୍ ମାମଲା ରହିଛି। ଅନ୍ୟପକ୍ଷେ ବୁଧବାର ଦିନ ରାଜସ୍ତାନରେ ୨୩, ଗୁଜରାଟରେ ୧୯, ଆନ୍ଧ୍ରପ୍ରଦେଶରେ ୧୦ ଏବଂ ପଶ୍ଚିମବଙ୍ଗରେ ୫ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି।
ଦେଶରେ ଅଚାନକ ଓମିକ୍ରନ୍ ସଂକ୍ରମଣ ବୃଦ୍ଧିରୁ ଏହା ଜଣାପଡ଼ୁଛି ଯେ, ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ଶତାଧିକ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ କୌଣସି ବିଦେଶ ରାଷ୍ଟ୍ର ଗସ୍ତ କରିନାହାନ୍ତି କି ସେମାନେ କୌଣସି ଓମିକ୍ରନ୍ ରୋଗୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିନାହାନ୍ତି। ଏଥି ମଧ୍ୟରୁ ୫୦ ପ୍ରତିଶତ ମାମଲା ମୁମ୍ବାଇରେ ରହିଛି। ସେହିପରି ରାଜସ୍ଥାନରେ ବୁଧବାର ଚିହ୍ନଟ ହୋଇଥିବା ୨୩ଟି ମାମଲାରୁ ୧୧ଟି ମାମଲା ଏହି ଶ୍ରେଣୀରେ ରହିଛି। ପଶ୍ଚିମବଙ୍ଗରେ ମଧ୍ୟ ବୁଧବାର ଚିହ୍ନଟ ହୋଇଥିବା ୫ ଓମିକ୍ରନ୍ ରୋଗୀଙ୍କ ମଧ୍ୟରୁ ୪ ଜଣ କୌଣସି ବିଦେଶ ରାଷ୍ଟ୍ର ଗସ୍ତ କରିନାହାନ୍ତି। ଓମିକ୍ରନ ସଂକ୍ରମଣକୁ ଦେଖି ଦିଲ୍ଲୀ ଏବଂ ମୁମ୍ବାଇରେ ଅଧିକ ସଂଖ୍ୟାରେ ମାଇକ୍ରୋ କଣ୍ଟେନମୋଣ୍ଟ୍ ଜୋନ୍ ଚିହ୍ନଟ କରାଯାଇଛି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଲଗାତାର ମାମଲା ଉପରେ ନଜର ରଖିବାକୁ କୁହାଯାଇଛି।