ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ର କ୍ରମାଗତ ହ୍ରାସକୁ ଦୃଷ୍ଟିରେ ରଖି ଅଧିକାଂଶ ସ୍ଥାନରେ କରୋନା ପ୍ରତିବନ୍ଧକ ହଟାଇ ଦିଆଯାଇଛି। କିନ୍ତୁ କରୋନାର ଏକ ନୂତନ ଭାରିଆଣ୍ଟ ଏବେ ସମସ୍ତଙ୍କ ଚିନ୍ତାକୁ ପୁଣି ବଢ଼ାଇ ଦେଇଛି । ସୂଚନା ଅନୁଯାୟୀ, କରୋନାର ଏହି ନୂତନ ଭାରିଆଣ୍ଟ ହେଉଛି ଓମିକ୍ରନ୍ ର ଏକ ସବ୍-ଭାରିଆଣ୍ଟ । ଏହାର ନାମ BA.5.1.7 ଏବଂ ଏହି ଭାଇରସ୍ ଖୁବଶୀଘ୍ର ବ୍ୟାପିଥାଏ । ଭାରତରେ BF.7 ସବ୍-ଭାରିଆଣ୍ଟର ପ୍ରଥମ ମାମଲା ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରେ ଚିହ୍ନଟ କରାଯାଇଛି ।
ନୂତନ ସବ୍-ଭାରିଆଣ୍ଟ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି, କାରଣ BF.7 ଓ BA.5.1.7 ଭାରିଆଣ୍ଟ ଗୁଡିକ ଚାଇନାରେ କୋଭିଡ୍-୧୯ ମାମଲାର ବୃଦ୍ଧି ହେବାର କାରଣ ବୋଲି ଦର୍ଶାଯାଇଛି। ଓମିକ୍ରନ୍ ର ନୂତନ ସବ୍-ଭାରିଆଣ୍ଟ ଅତ୍ୟଧିକ ସଂକ୍ରାମକ ଭାବରେ ଜଣାଶୁଣା ଏବଂ ବର୍ତ୍ତମାନ ଏହା ସାରା ବିଶ୍ୱରେ ବ୍ୟାପିଚାଲିଛି ।
ଭାରତରେ ଲକଡାଉନ ହଟାଇ ଦେବାପରେ ଲୋକମାନେ ଉତ୍ସାହର ସହିତ ଦେଶର ଅନ୍ୟତମ ପ୍ରମୁଖ ପର୍ବ ଦୀପାବଳି ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଦୀପାବଳି ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ମାସ୍କ ଲଗାଇବା ବନ୍ଦ କରିବା ଉଚିତ ନୁହେଁ ଏବଂ ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ନିଜକୁ ସଙ୍ଗରୋଧ କରିଦେବା ଉଚିତ୍। ନଚେତ କରୋନାର ଆଉ ଏକ ଲହରକୁ ସାମନା କରିବାକୁ ପଡ଼ିବ।
ଏସିଆନ୍ ହସ୍ପିଟାଲ୍ ଫରିଦାବାଦର ପରାମର୍ଶଦାତା ଚିକିତ୍ସକ ତଥା ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ଚାରୁ ଦତ୍ତ ଆରୋରାଙ୍କ ଅନୁଯାୟୀ, 'ଓମିକ୍ରନ୍ ସ୍ପାଉନ୍' ନାମକ ଏକ ନୂତନ ଭାରିଆଣ୍ଟ ଯାହା ଟେକ୍ନିକାଲ୍ ଭାବରେ BA.5.1.7 ଓ BF.7 ନାମରେ ନାମିତ ହୋଇଛି, ଏହା ପ୍ରଥମେ ଚାଇନାର ମୋଙ୍ଗୋଲିଆରେ ମିଳିଥିଲା। ଗତ ଦୁଇ ସପ୍ତାହ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଭାରିଆଣ୍ଟ ଦ୍ୱିଗୁଣିତ ହୋଇଛି । ବ୍ରିଟେନ, ଜର୍ମାନୀ ଏବଂ ଫ୍ରାନ୍ସ ପରି ୟୁରୋପୀୟ ଦେଶଗୁଡିକରେ ଏହି ଭାରିଆଣ୍ଟର ପ୍ରାୟ ୧୫ ରୁ ୨୫ ପ୍ରତିଶତ ମାମଲାରେ ରହିଛି।
ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଟୀକାକରଣର ଅଧ୍ୟକ୍ଷ ଡକ୍ଟର ଏନ.କେ ଆରୋରାଙ୍କ ସୂଚନା ଅନୁଯାୟୀ, ଆସନ୍ତା ଦୁଇ ତିନି ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। କୋଭିଡ-୧୯ ଆମ ଚାରିପାଖରେ ଅଛି ଏବଂ ଦିନକୁ ଦିନ ଦୁନିଆର ଅନେକ ସ୍ଥାନରେ ନୂଆ ଭାରିଆଣ୍ଟ ମଧ୍ୟ ଦେଖାଯାଉଛି । ଏହି ଭାରିଆଣ୍ଟ ଗୁଡିକ ଆମଠାରୁ ଅଲଗା ହୋଇପାରିବ ନାହିଁ ତେଣୁ ଆମକୁ ସତର୍କ ରହିବା ଆବଶ୍ୟକ ।
ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଭାରିଆଣ୍ଟର ଲକ୍ଷଣଗୁଡ଼ିକ ପୁରୁଣା ଭାରିଆଣ୍ଟ ସହିତ ସମାନ ରହିବ କିନ୍ତୁ ଏକ ନିର୍ଦ୍ଦିଷ୍ଟ ସମୟ ସହିତ ସାମ୍ନାକୁ ଆସିବ । ଡକ୍ଟର ଆରୋରାଙ୍କ ଅନୁଯାୟୀ, ଶରୀରରେ ଯନ୍ତ୍ରଣା ହେଉଛି ଏହି ଭାରିଆଣ୍ଟର ମୁଖ୍ୟ ଲକ୍ଷଣ ।
କୌଣସି ସ୍ଥାନରେ ଏବେ ପ୍ରତିବନ୍ଧକ ନାହିଁ ଏବଂ ଲୋକମାନେ ମାସ୍କ ପିନ୍ଧୁ ନାହାଁନ୍ତି । ଯଦି ଏହି ଭିଡ ସମୟରେ ଭାଇରସ୍ ବିସ୍ତାର ହୁଏ ତେବେ ଏହା ମାତ୍ର ୩ ରୁ ୪ ସପ୍ତାହ ମଧ୍ୟରେ ଭାରତର ଅଧା ଜନସଂଖ୍ୟାକୁ ବ୍ୟାପିଯିବ ।
ଲୋକଙ୍କୁ କୋଭିଡ ଭାରିଆଣ୍ଟ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଉଛୁ କିନ୍ତୁ ସତର୍କ ରହିବାକୁ ପଡିବ । ଏହି ପାର୍ବଣ ସମୟରେ ଯଥାସମ୍ଭବ କମ ଲୋକଙ୍କୁ ଭେଟିବାକୁ ଚେଷ୍ଟା କରନ୍ତୁ, ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ, ସାବୁନ୍ ରେ ହାତକୁ ଭଲ ଭାବରେ ଧୁଅନ୍ତୁ । ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି ସେମାନେ ମାସ୍କ ପିନ୍ଧିବା ଆରମ୍ଭ କରିବା ଉଚିତ୍ । ଏହା ସହିତ ସେମାନେ ପ୍ରଦୂଷଣକୁ ମଧ୍ୟ ଏଡାଇ ପାରିବେ । ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ ।