ନୂଆଦିଲ୍ଲୀ: ଗତ ମାସରେ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ସମ୍ପ୍ରତି ବିଶ୍ବର ୧୦୮ ଦେଶକୁ ବ୍ୟାପିଯିବାରୁ ସରକାର ଭ୍ରମଣ ନିଷେଧ କରିବା ସମେତ ଅନ୍ୟାନ୍ୟ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି।

Advertisment

ମାତ୍ର ଗୋଟିଏ ମାସରେ ୧୦୮ ଦେଶକୁ ବ୍ୟାପି ୧୫୧,୩୬୮ଜଣଙ୍କୁ ସଂକ୍ରମିତ କରିବା ସହ ‘ଓମିକ୍ରନ୍‌’ ୨୬ଜଣଙ୍କର ମୃତ୍ୟୁର କାରଣ ହୋଇଛି। ଏଥିରୁ ଏହି ଭୂତାଣୁର ସଂକ୍ରମଣ ବେଗ କେତେ ଦ୍ରୁତ, ତାହା ଅନୁମେୟ।

ନଭେମ୍ବର ୨୪ ତାରିଖ ଦିନ ଦକ୍ଷିଣ ଆଫ୍ରିକାରେ ‘ଓମିକ୍ରନ୍‌’ର ପ୍ରଥମ ସଂକ୍ରମଣ ଚିହ୍ନଟ କରାଯିବା ପରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଏହାକୁ ଚିନ୍ତା ଉଦ୍ରେକକାରୀ ଭୂତାଣୁ ବୋଲି ଘୋଷଣା କରିଥିଲା।

ପ୍ରାପ୍ତ ତଥ୍ୟାବଳୀ ଅନୁସାରେ, ଗତ ମେ ମାସ ଆଦ୍ୟରେ ଦକ୍ଷିଣ ଆଫ୍ରିକାରେ ‌‘ଡେଲ୍‌ଟା ଭେରିଏଣ୍ଟ୍‌’ଜନିତ ନୂତନ ସଂକ୍ରମଣ ମାତ୍ର ୨% ଥିବା ବେଳେ ଜୁଲାଇ ୧୨ ତାରିଖ ବେଳକୁ ତାହା ୮୯%କୁ ବୃଦ୍ଧି ପାଇଥିଲା। ଏହା ତୁଳନାରେ ନଭେମ୍ବର ୨୪ ତାରିଖରେ ଚିହ୍ନଟ ହୋଇଥିବା ‘ଓମିକ୍ରନ୍’ ଡିସେମ୍ବର ‌୧୩ ତାରିଖ ସୁଦ୍ଧା ଅଗ୍ରଣୀ ଭୂତାଣୁ ହୋଇ ବାହାରିଥିଲା। ଏବେ ଦକ୍ଷିଣ ଆଫ୍ରିକାରେ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା ୯୫%।

publive-image Image Courtesy of The Indian Express

ଏପ୍ରିଲ୍‌ ୫ ତାରିଖ ବେଳକୁ ବ୍ରିଟେନ୍‌ରେ ‘ଡେଲ୍‌ଟା ଭେରିଏଣ୍ଟ୍‌’ଜନିତ ସଂକ୍ରମଣ ୦.୧୦% ଥିବା ବେଳେ ମେ ମାସ ଶେଷକୁ ତାହା ୭୪% ବୃଦ୍ଧି ପାଇଥିଲା। ଜୁନ୍‌ ସୁଦ୍ଧା ତାହା ବୃଦ୍ଧି ପାଇ ୯୦%ରେ ପହଞ୍ଚିଥିଲା। କିନ୍ତୁ, ଏବେ ବ୍ରିଟେନ୍‌ରେ ‘ଓମିକ୍ରନ୍‌’ ସଂକ୍ରମଣ ରେକର୍ଡ ଭାଙ୍ଗିଲାଣି। କେବଳ ଡିସେମ୍ବର ୨୨ ତାରିଖ ଦିନ ସେଠାରେ ୧ ଲକ୍ଷରୁ ଅଧିକ ‘ଓମିକ୍ରନ୍’ ସଂକ୍ରମଣ ରେକର୍ଡ କରାଯାଇଛି।

ସେହିପରି, ‘ଡେଲ୍‌ଟା ଭେରିଏଣ୍ଟ୍‌’ ଯୋଗୁଁ ଏପ୍ରିଲ୍‌ ୧୯ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୦.୩୧% ଥିବା ସଂକ୍ରମଣ ଜୁନ୍‌ ଶେଷ ବେଳକୁ ୫୦% ବୃଦ୍ଧି ପାଇଥିଲା। ଏହାର ମାସକ ପରେ ଅର୍ଥାତ୍‌ ଜୁଲାଇ ଶେଷକୁ ‘ଡେଲ୍‌ଟା’ଜନିତ ସଂକ୍ରମଣ ସଂଖ୍ୟା ୯୦%‌ ହୋଇଯାଇଥିଲା। କିନ୍ତୁ, ଏବେ ‘ଓମିକ୍ରନ୍’ ଯୋଗୁଁ ଆମେରିକାରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ଡିସେମ୍ବର ୨୨ ତାରିଖ ସୁଦ୍ଧା ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ‘ଓମିକ୍ରନ୍’ଦ୍ବାରା ସଂକ୍ରମିତ।

publive-image Image Courtesy of BBC

ଭାରତ କଥା ଦେଖିଲେ, ଡିସେମ୍ବର ୨୦୨୦ ଶେଷାର୍ଦ୍ଧ ବେଳକୁ ‘ଡେଲ୍‌ଟା ଭେରିଏଣ୍ଟ୍‌’ ସଂକ୍ରମଣ ଦେଖାଦେଇଥିଲା। ପ୍ରଥମ ମାସରେ ସମୁଦାୟ ସଂକ୍ରମଣରେ ‘ଡେଲ୍‌ଟା’ ଥିଲା ମାତ୍ର ୦.୭୩%। କିନ୍ତୁ, ଚଳିତ ବର୍ଷ ଡିସେମ୍ବର ୨ ତାରିଖରେ ପ୍ରଥମେ ଚିହ୍ନଟ ହୋଇଥିବା ‘ଓମିକ୍ରନ୍’ ମାତ୍ର ୨୨ ଦିନରେ ଦେଶରେ ୧୭ଟି ପ୍ରଦେଶକୁ ବ୍ୟାପିବା ସହ ୩୫୮ଜଣଙ୍କୁ ଆକ୍ରାନ୍ତ କରିସାରିଲାଣି। ଅବଶ୍ୟ ଏଥିଯୋଗୁଁ ଏପର୍ଯ୍ୟନ୍ତ ଦେଶରେ କାହାର ମୃତ୍ୟୁ ଘଟିନାହିଁ।