ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ଗୁରୁବାର ଦେଶରେ ପୂର୍ବରୁ ଜାରିଥିବା କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଫେବ୍ରୁଆରି ୨ ୮ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାର କଡ଼ାକଡ଼ି ପାଳନ ପାଇଁ ଦେଶର ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଏକ ପତ୍ରରେ ଗୃହ ସଚିବ ଅଜୟ କୁମାର ଭଲ୍ଲା କହିଛନ୍ତି ଯେ କୋଭିଡ୍ର ନୂତନ ପ୍ରଜାତି (ଭାରିଆଣ୍ଟ) ଓମିକ୍ରନ ଯୋଗୁଁ ଦେଶରେ ମାମଲା ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି।
ଯଦିଓ ଅଧିକାଂଶ ସକ୍ରିୟ ମାମଲା ଦ୍ରୁତ ଗତିରେ ଆରୋଗ୍ୟ ହେଉଛି ଏବଂ କମ୍ ପ୍ରତିଶତ ମାମଲା ଡାକ୍ତରଖାନାରେ ଅଛି, ତଥାପି ଏହା ଏକ ଚିନ୍ତାର ବିଷୟ ଯେ ୩୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୦୭ଟି ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ରହିଛି। ତେଣୁ କୋଭିଡ୍ ମହାମାରୀ ଭାଇରସ୍ର ସାମ୍ପ୍ରତିକ ଧାରାକୁ ଦେଖି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ଭଲ୍ଲା କହିଛନ୍ତି।
ଗୃହ ସଚିବ ଅଜୟ କୁମାର ଭଲ୍ଲା ଏହା ମଧ୍ୟ କହିଛନ୍ତି ଯେ ଗତ ଡିସେମ୍ବର ୨୧ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ପରିସ୍ଥିତିର ମୂଲ୍ୟାଙ୍କନ ତୁରନ୍ତ ଏବଂ ଉପଯୁକ୍ତ ନିୟନ୍ତ୍ରଣ ପଦକ୍ଷେପ ନେବା ଜାରି ରଖିବା ଉଚିତ। ପାଳିତ ରଣନୀତି, ଅର୍ଥାତ୍ ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ଟିକାକରଣ ଏବଂ କୋଭିଡ୍ ଉପଯୁକ୍ତ ଆଚରଣର ଅନୁପାଳନ ଉପରେ ନିରନ୍ତର ଧ୍ୟାନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଏଥିସହ ରାଜ୍ୟମାନେ କୋଭିଡ ଉପଯୁକ୍ତ ଆଚରଣର ନିୟମକୁ କଠୋର ଭାବରେ ଲାଗୁ କରିବା ଉଚିତ। ଯେପରିକି ମାସ୍କ ପିନ୍ଧିବା ଏବଂ ସମସ୍ତ ସାର୍ବଜନୀନ ଅଞ୍ଚଳରେ ସୁରକ୍ଷିତ ସାମାଜିକ ଦୂରତା ବଜାୟ ରଖିବା ଉଚିତ ବୋଲି ସେ ଜାରି କରିଥିବା ଚିଠିରେ ଉଲ୍ଲେଖ କରିିଛନ୍ତି।