ନୂଆଦିଲ୍ଲୀ: କରୋନାଭାଇସର୍‌ର ‘ଓମିକ୍ରନ୍ ଭେରିଏଣ୍ଟ୍‌’ ଯେଉଁ ବେଗରେ ବିସ୍ତାର ଲାଭ କରୁଛି, ବିଶ୍ବରେ ପୂର୍ବରୁ କୌଣସି ଭେରିଏଣ୍ଟ୍‌ ଏଭଳି ବେଗରେ ବ୍ୟାପି ନ ଥିବା କଥା ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

Advertisment

ଗଣମାଧ୍ୟମକୁ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍‌ରସ୍‌ ଆଧନମ୍ ଗେବ୍ରେୟେସସ୍‌ କହିଛନ୍ତି, ସମ୍ପ୍ରତି ୭୭ଟି ଦେଶ ‘ଓମିକ୍ରନ୍‌’ ମାମଲା ରିପୋର୍ଟ କରିଛନ୍ତି। କିନ୍ତୁ, ବାସ୍ତବ କଥା ହେଉଛି ଏଯାବତ୍‌ ଚିହ୍ନଟ ହୋଇ ପାରି ନ ଥିଲେ ମଧ୍ୟ ଅଧିଂକାଶ ଦେଶରେ ସମ୍ଭବତଃ ‘ଓମିକ୍ରନ୍‌’ ରହିଛି। ‘ଓମିକ୍ରନ୍‌’ ଯେଉଁ ବେଗରେ ବିସ୍ତାର ଲାଭ କରୁଛି, ସେଭଳି ବେଗରେ ପୂର୍ବରୁ କୌଣସି ଭେରିଏଣ୍ଟ୍‌ ବିସ୍ତାର ଲାଭ କରିଥିବା ଆମ ଦେଖି ନ ଥିଲେ।

ଫଳପ୍ରଦ ହେବା ଭଳି ପଦକ୍ଷେପ ଗ୍ରହଣ କରି ‘ଓମିକ୍ରନ୍’ ବିସ୍ତାରକୁ ‌ଦେଶମାନେ ନିଶ୍ଚୟ ପ୍ରତିରୋଧ କରିପାରିବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି। କେବଳ ଟିକା କୌଣସି ଦେଶକୁ ଏହି ସଙ୍କଟରୁ ମୁକ୍ତି ଦେଇ ପାରିବ ନାହିଁ।

publive-image Image Courtesy of India Today

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ଲୋକେ ‘ଓମିକ୍ରନ୍‌’କୁ ସାମାନ୍ୟ ବିଚାରି ହେୟଜ୍ଞାନ କରୁଥିବାରୁ ଆମେ ଚିନ୍ତିତ। ଏ କଥା ନିଶ୍ଚିତ ଯେ, ଆମ ପ୍ରତି ବିପଜ୍ଜନକ ହେବାର ସମ୍ଭାବନା ଥିବା ଏହି ଭୂତାଣୁକୁ ଏପର୍ଯ୍ୟନ୍ତ ଆମେ ହେୟଜ୍ଞାନ କରୁଛୁ। ‘ଓମିକ୍ରନ୍‌’ କମ୍‌ ସାଙ୍ଘାତିକ ରୋଗର ସୃଷ୍ଟି କରୁଥିଲେ ବି, ସଂକ୍ରମଣ ମାମଲାର ଦ୍ରୁତ ବୃଦ୍ଧି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅପ୍ରତ୍ୟାଶିତ ଭାବେ ବେକାବୁ କରିପାରେ।

ସେ ପୁନଶ୍ଚ କହିଛନ୍ତି, ଟିକା ମାସ୍କ୍‌ ଭଳି କାମ ଦେବନାହିଁ। ଟିକା ଶାରୀରିକ ଦୂରତ୍ବ ଭଳି କାମ ଦେବନାହିଁ। ଟିକା ବାୟୁଚଳାଚଳ କିଂବା ହାତ ବିଶୋଧନ ପରି କାମ ଦେବନାହିଁ। ଉପରୋକ୍ତ ପରାମର୍ଶ ସବୁବେଳେ ଭଲଭାବେ ମାନି ଚଳନ୍ତୁ।

ବୁଷ୍ଟର୍‌ ଡୋଜ୍‌ ନୁହେଁ, ଟିକା ବଣ୍ଟନର ଅସମାନତାକୁ ବିରୋଧ କରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆହୁରି ମଧ୍ୟ କହିଛି, ‘ଓମିକ୍ରନ୍‌’ ବିପକ୍ଷରେ ବୁଷ୍ଟର୍‌‌ ଡୋଜ୍‌ ଫଳପ୍ରଦ ହେଉଥିବାର ପ୍ରମାଣ ନ ଥାଇ ଅନେକ ଦେଶ ସେମାନଙ୍କ ପ୍ରାପ୍ତ ବୟସ୍କ ନାଗରିକମାନଙ୍କ ପାଇଁ କୋଭିଡ୍‌-୧୯ ବୁଷ୍ଟର୍‌ ଡୋଜ୍‌ ଦେବା ଅଭିଯାନ ଆରମ୍ଭ କରିଛନ୍ତି।