ଭାରତରେ ଓମିକ୍ରନର ଉପ-ପ୍ରଜାତି ବିଏ.୪ର ପ୍ରଥମ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଓମିକ୍ରନ ପ୍ରଜାତିର ଉପ-ପ୍ରଜାତି ଚିହ୍ନଟ ହୋଇଛି । ଏହାକୁ କୁହାଯାଉଛି ବିଏ.୪ । ହାଇଦ୍ରାବାଦରେ ଏହାକୁ ଚିହ୍ନଟ କରାଯାଇଥିବା ଜେନୋମିକ୍ସ ସଂପର୍କିତ ସାର୍ସ କୋଭିଡ-୨ କନସୋର୍ଟିୟମ (ଇନସାକଗ) ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତ ୯ ତାରିଖରେ ସଂଗୃହୀତ ଏନ ନମୁନାରେ ଏହି ଉପ-ପ୍ରଜାତି ଥିବା ଆଜି ଜଣାପଡ଼ିଛି ବୋଲି ଇନସାକଗ ପକ୍ଷରୁ କୁହାଯାଇଛି  । ପୂର୍ବରୁ ଏହି ବିଏ.୪ ଉପ-ପ୍ରଜାତି ଦକ୍ଷିଣ ଏସିଆର ଅନେକ ଲୋକଙ୍କୁ ସଂକ୍ରମିତ କରିଥିଲା । କିନ୍ତୁ ଭାରତରେ ଏହା ହେଉଛି ପ୍ରଥମ ମାମଲା । ଗତ ଜାନୁଆରି ମାସରେ ଏହି ଉପ-ପ୍ରଜାତି ଉପରେ ଇନସାକଗର ବୈଜ୍ଞାନିକମାନେ ନଜର ରଖିଥିଲେ । ଇତି ମଧ୍ୟରେ କେତେକ ଏସୀୟ ଦେଶରେ ବିଏ.୫ ଉପ-ପ୍ରଜାତି ମଧ୍ୟ ଚିହ୍ନଟ ହେଲାଣି । ବିଏ.୧ ପାଇଁ ସୃଷ୍ଟି ହୋଇଥିବା ଆଣ୍ଟିବଡି ବିଏ.୪ ଓ ବିଏ.୫ ବିରୋଧରେ ପ୍ରଭାବି ହେବାର ସମ୍ଭାବନା କମ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଏ.୪ ସବ-ଭାରିଆଣ୍ଟ ଗତ ଜାନୁଆରି ୧୦ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା । ସେହିପରି ବିଏ.୫ ସବ-ଭାରିଣାଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲଠାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିଲା । ଏହା ପରେ ଏହି ଦୁଇଟି ସବ-ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ପହଞ୍ଚିସାରିଲାଣି । ଏପରିକି ନିକଟରେ କେତେକ ଦେଶରେ ବଢିଚାଲିଥିବା ସଂକ୍ରମଣ ପଛରେ ଏହି ଦୁଇଟି ସବ-ଭାରିଆଣ୍ଟ ରହିଛି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର