ପ୍ରୟାଗରାଜ: ଦେଶରେ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ସଂକ୍ରମଣ ଭୟ ଥିବାରୁ ଆଗାମୀ ବିଧାନସଭା ନିର୍ବାଚନ ମାସେ କି, ଦୁଇ ମାସ ଘୁଞ୍ଚାଇବା କଥା ବିଚାର କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ସରକାରଙ୍କୁ କହିଛନ୍ତି।
ସେହିପରି, ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶର ୫ଟି ରାଜ୍ୟରେ ହେବାକୁ ନିର୍ଦ୍ଧାରଣ କରାଯାଇଥିବା ନିର୍ବାଚନ ପୂର୍ବରୁ ରାଲି ଓ ରାଜନୈତିକ ସମାଗମ ଉପରେ ନିଷେଧାଦେଶ ଜାରି କଥା ମଧ୍ୟ ବିଚାର କରିବାକୁ ହାଇକୋର୍ଟ ସରକାରଙ୍କୁ କହିଛନ୍ତି। ଏଥିସହ, ସହ ସରକାର କୋଭିଡ୍-୧୯ ସଂକ୍ରମଣ ବୃଦ୍ଧିର ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଦାଲତ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଦଳ ସବୁ ଟେଲିଭିଜନ୍ ଏବଂ ଖବରକାଗଜ ମାଧ୍ୟମରେ ପ୍ରଚାର ଅଭିଯାନ ଚଳାଇ ପାରିବେ।
/sambad/media/post_attachments/wp-content/uploads/2021/12/up-rally1-1024x656.jpg)
ନିର୍ବାଚନ ସ୍ଥଗିତ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ନିର୍ବାଚନ କମିସନ୍ଙ୍କୁ ନିବେଦନ କରି ଆହ୍ଲାବାଦ ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ‘ଜାନ୍ ହୈ ତୋ ଜହାନ୍ ହୈ’ (ଜୀବନ ଥିଲେ ସଂସାର ଥିବ)।
ଆହ୍ଲାବାଦ ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି, ବ୍ୟାପକ ଜନସଂଖ୍ୟା ଥିବା ଏଭଳି ଦେଶରେ ପ୍ରଧାନମନ୍ତ୍ରୀଙ୍କ ମାଗଣା ଟିକାକରଣ ଉଦ୍ୟମକୁ ଅଦାଲତ ପ୍ରଶଂସା କରୁଛି। ଦେଶରେ ମହାମାରୀ ପରିସ୍ଥିତି ପ୍ରତି ଧ୍ୟାନ ଦେଇ କଠୋର ପଦକ୍ଷେପ ଗ୍ରହଣ କରିବା ଲାଗି ଅଦାଲତ ଏଥର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି।
ଗୋଟାଏ ଜାମିନ ଆବେଦନ ଶୁଣାଣି ସମୟରେ ବିଚାରପତି ଶେଖର କୁମାର ଯାଦବ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଲେ କି, ଆଜି ଶୁଣାଣି ପାଇଁ ଅଦାଲତରେ ୪୦୦ ପିଟିସନ୍ ରହିଥିବା ବେଳେ ଅଦାଲତ ପ୍ରକୋଷ୍ଠରେ କେତେଜଣ ଓକିଲ ଶାରୀରିକ ଦୂରତ୍ବ ବଜାୟ ରଖିବାରେ ବିଫଳ ହୋଇଛନ୍ତି ଏବଂ ମାସ୍କ୍ ମଧ୍ୟ ପିନ୍ଧି ନାହାନ୍ତି।