ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟରେ ସମୁଦାୟ ୧୭ଟି ‘ଓମିକ୍ରନ୍‌’ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଆଜି ଏବଂ ଆସନ୍ତାକାଲି ପାଇଁ ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି।

Advertisment

ଏଥିସହ ସଂକ୍ରମଣ ବିସ୍ତାର ରୋକିବା ଲାଗି ମୁମ୍ବାଇରେ ରାଲି, ମୋର୍ଚ୍ଚା ଅଥବା ଜନପଟୁଆର କିଂବା ଯାନବାହନ ଶୋଭାଯାତ୍ରା ନିଷେଧ କରାଯାଇଛି। ନିଷେଧାଦେଶ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସତର୍କ କରି ଦେଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ମହାରାଷ୍ଟ୍ରରେ ପ୍ରାୟ ୭ଟି ନୂଆ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଜଣେ ତିନି ବର୍ଷର ପିଲା ମଧ୍ୟ ଉକ୍ତ ଭେରିଏଣ୍ଟ୍‌ର ଭୂତାଣୁଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

publive-image Image Courtesy of CNBC TV18

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି, ସେଥିରୁ ମୁମ୍ବାଇରୁ ତିନୋଟି ଓ ପିମ୍ପ୍ରି ଚିନ୍‌ୱାଦ୍‌ ମହାନଗର ନିଗମ ଅଞ୍ଚଳରୁ ଚାରୋଟି ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି।

ମୁମ୍ବାଇରୁ ଚିହ୍ନଟ ୩ଜଣ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଏବଂ ସେମାନଙ୍କ ବୟସ ୪୮, ୨୫ ଏବଂ ୩୭। ସେମାନେ ତାଞ୍ଜାନିଆ, ଇଂଲଣ୍ଡ୍‌ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ।

ସଦ୍ୟତମ ସୂଚନା ଅନୁସାରେ, ଭାରତରେ ସମୁଦାୟ ‘ଓମିକ୍ରନ୍‌’ ସଂକ୍ରମଣ ମାମଲା ୩୨କୁ ବୃଦ୍ଧି ପାଇଛି। ସେଥିରୁ ମହାରାଷ୍ଟ୍ରରେ ୧୭, ରାଜସ୍ଥାନରେ ୯, ଗୁଜରାଟରେ ୩, କର୍ଣ୍ଣାଟକରେ ୨ ଏବଂ ଦିଲ୍ଲୀରେ ୧ଟି ମାମଲା ରହିଛି।