ଜିନିଭା: ‘ଡେଲ୍‌ଟା ଷ୍ଟ୍ରେନ୍‌’ ଅପେକ୍ଷା ‘ଓମିକ୍ରନ୍‌ କରୋନାଭାଇରସ୍‌’ ଅଧିକ ସଂକ୍ରମଣଶୀଳ। ଟିକାର ଫଳପ୍ରଦତାକୁ ହ୍ରାସ କରୁଥିଲେ ମଧ୍ୟ ପ୍ରାପ୍ତ ପ୍ରାରମ୍ଭିକ ତଥ୍ୟାବଳୀ ଅନୁସାରେ ଏହି ଭୂତାଣୁ ଆକ୍ରାନ୍ତଙ୍କ ଶରୀରରେ କମ୍‌ ସାଙ୍ଘାତିକ ଲକ୍ଷଣ ଦେଖାଯାଉଛି ବୋଲି ରବିବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

Advertisment

ଡିସେମ୍ବର ୯ ତାରିଖ ସୁଦ୍ଧା ‘ଓମିକ୍ରନ୍‌’ ୬୩ଟି ଦେଶକୁ ବ୍ୟାପିଛି। ‘ଡେଲ୍‌ଟା’ ସଂକ୍ରମଣ କମ୍‌ ଥିବା ଦକ୍ଷିଣ ଆଫ୍ରିକା ଏବଂ ‘ଡେଲ୍‌ଟା’ ସଂକ୍ରମଣ ଅଧିକ ଥିବା ବ୍ରିଟେନ୍‌ରେ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ କ୍ଷିପ୍ର ବେଗରେ ସଂକ୍ରମିତ ହେଉଥିବା ଜଣାପଡ଼ିଥିବା କଥା ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍‌’ ରିପୋର୍ଟ ଅନୁସାରେ, ଏକ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବିବୃତିରେ କହିଛି, ୨୦୨୧ ଡିସେମ୍ବର ୯ ତାରିଖ ସୁଦ୍ଧା ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ୬ଟିଯାକ ‘ଡବ୍ଲୁଏଚ୍‌ଓ’ ଅଞ୍ଚଳ ଅନ୍ତର୍ଗତ ୬୩ଟି ଦେଶରେ ଚିହ୍ନଟ କରାଯାଇଛି। ବିସ୍ତାର ବେଗରେ ଏହା ‘ଡେଲ୍‌ଟା’କୁ ଟପିଯିବାର ସମ୍ଭାବନା ରହିଛି।

publive-image Image Courtesy of Hindu Tamil

ଏହି ‌ଷ୍ଟ୍ରେନ୍‌ କାହିଁକି ଏତେ ତ୍ବରିତ ବେଗରେ ବିସ୍ତାର ଲାଭ କରୁଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ, ପ୍ରାପ୍ତ ତଥ୍ୟାବଳୀକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ଗୋଷ୍ଠୀ ସଂକ୍ରମଣ ଘଟୁଥିବା ସ୍ଥାନମାନଙ୍କରେ ଏହା ‘ଡେଲ୍‌ଟା ଭେରିଏଣ୍ଟ୍‌’କୁ ଟପିଯାଇପାରେ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆହୁରି ମଧ୍ୟ କହିଛି ଯେ, ଏଯାବତ୍‌ ‘ଓମିକ୍ରନ୍‌’ ସଂକ୍ରମଣ ସାମାନ୍ୟ ଅସୁସ୍ଥତା ବା ଲକ୍ଷଣବିହୀନ ମାମଲା ବୋଲି ଜଣାପଡ଼ିଛି। କିନ୍ତୁ, ଏହାର ସାଙ୍ଘାତିକତା ପ୍ରତିପାଦନ କରିବା ଲାଗି ପ୍ରାପ୍ତ ତଥ୍ୟାବଳୀ ଯଥେଷ୍ଟ ନୁହେଁ।

ତେଣୁ, ଯଥେଷ୍ଟ ଟିକା ଯୋଗାଣ ଥିବା ବ୍ରିଟେନ୍‌ ଏବଂ ଫ୍ରାନ୍‌ସ୍‌ ଭଳି ଦେଶ ‘ଓମିକ୍ରନ୍‌’ ସଂକ୍ରମଣ ପ୍ରତିହତ କରିବା ଲାଗି ‘ବୁଷ୍ଟର୍‌ ଡୋଜ୍‌’ ନେବା ପାଇଁ ଜନସାଧାରଣଙ୍କୁ ପ୍ରବର୍ତ୍ତାଉଛନ୍ତି।