ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ମାନସିକ ଅବସାଦ ଆଡକୁ ଠେଲି ହୋଇଗଲେଣି ବିଶ୍ୱବାସୀ । ଲକଡାଉନ୍, ଆଇସୋଲେସନ ଆଉ ସଂକ୍ରମଣ ଭିତରେ ଲୋକଙ୍କ ପ୍ରତିଟି ସମୟ ବିତୁଥିବାବେଳେ ଏବେ ନୂଆ ଭାରିଆଣ୍ଟ ସମସ୍ତଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି । କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ଚାରିଆଡେ ବ୍ୟାପୁଥିବାବେଳେ ଏହାକୁ ନେଇ ଏବେ ସମସ୍ତେ ଚିନ୍ତିତ । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଏହି ନୂଆ ଭୂତାଣୁ ଏବେ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ୍, ଡେଲଟାଠାରୁ ଅଧିକ ମାରାତ୍ମକ ବୋଲି ଜଣାପଡ଼ିବା ପରେ ଏବେ ଓମିକ୍ରନର ପ୍ରଥମ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରୁ ଓମିକ୍ରନ କେତେ ମାରାତ୍ମକ ତାହା ସ୍ପଷ୍ଟ ଭବେ ଜଣାପଡ଼ୁଛି।
ରୋମର ବେମ୍ବିନୋ ଜେସୋ ହସ୍ପିଟାଲରେ କରାଯାଇଥିବା ଅନୁସନ୍ଧାନ ପରେ ଏହି ଫଟୋ ନିଆଯାଇଛି। ଏହି ଅନୁସନ୍ଧାନ କରିଛନ୍ତି ପ୍ରଫେସର କାର୍ଲୋ ଫେଡେରିକୋ ପର୍ନୋ ଏବଂ ମିଲାନ ଷ୍ଟେଟ ୟୁନିଭରସିଟିର ପ୍ରଫେସର କ୍ଲାଉଡିଆ ଆଲ୍ଟେରୀ । ଫଟୋରେ ଓମିକ୍ରନ୍ ସ୍ପାଇକ୍ ପ୍ରୋଟିନର ଗଠନ ଦେଖିବାକୁ ମିଳୁଛି। ଫଟୋରୁ ଏହା ସ୍ପଷ୍ଟ ହେଉଛି ଯେ ଓମିକ୍ରନର ମ୍ୟୁଟେସନ୍ ହାର ଡେଲଟା ଭାରିଆଣ୍ଟ ତୁଳନାରେ ବହୁତ ଅଧିକ।
The first photo of the #OmicronVariant (B.1.1.529), SARS-CoV-2 Variant of Concern, at the Bambino Gesù Children’s Hospital in Rome pic.twitter.com/tCuujpeqsY
— Dimitrios Varvaras MD, PhD (@MdVarvaras) November 28, 2021
ସ୍ପାଇକ୍ ପ୍ରୋଟିନ୍ ହେଉଛି ଭୂତାଣୁର ଏକ ଅଂଶ ଯାହା ମାନବ କୋଷରେ ପ୍ରବେଶ କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଲୋକଙ୍କୁ ଦିଆଯାଉଥିବା କରୋନା ଟିକା ଭୂତାଣୁର ଏହି ଅଂଶକୁ ଟାର୍ଗେଟ କରିଥାଏ। ହେଲେ ଜାରି ହୋଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ, ସ୍ପାଇକ ପ୍ରୋଟିନରେ ଓମିକ୍ରନ୍, ଡେଲଟା ଭରିଆଣ୍ଟଠାରୁ ଖୁବ ଅଧିକ ଥର ମ୍ୟୁଟେଟ୍ ହୋଇଛି। ଏଥିପାଇଁ ଦିଆଯାଇଥିବା ଟିକା ଲୋକଙ୍କୁ ଓମିକ୍ରନ୍ ଭାରିଆଣ୍ଟଠାରୁ ସୁରକ୍ଷା ଦେଇନପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି।