୭ଦିନରେ ସୁସ୍ଥ ହେଉଛନ୍ତି ଓମିକ୍ରନ୍‌ ରୋଗୀ, ଦ୍ରୁତ ସଂକ୍ରମଣ ସତ୍ତ୍ବେ ହସ୍ପିଟାଲରେ ରୋଗୀ ସଂଖ୍ୟା କମ୍‌

ଗୁରୁତରଙ୍କ ସଂଖ୍ୟା ଖୁବ୍‌ କମ୍‌: ଏମ୍‌ସ

ନୂଆଦିଲ୍ଲୀ  : ଦେଶରେ ଓମିକ୍ରନ୍‌ ସଂକ୍ରମଣ ବିସ୍ଫୋରକ ରୂପ ନେବାରେ ଲାଗିଛି। ତେବେ କୋଭିଡ୍‌ର ଓମିକ୍ରନ୍‌ ପ୍ରଜାତି ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ହୋଇଥିଲେ ସୁଦ୍ଧା ଓମିକ୍ରନରେ ଆକ୍ରାନ୍ତ ‌ରୋଗୀ ମାତ୍ର ସପ୍ତାହକ ମଧ୍ୟ‌ରେ ପୂରା ସୁସ୍ଥ ହୋଇ ଯାଉଛନ୍ତି। ଅନେକ ରୋଗୀ ୩/୪ ଦିନରେ ବି ସୁସ୍ଥ ହେଉଥିବା ନଜିର୍‌ ରହିଛି। ଦିଲ୍ଲୀ ଲୋକ ନାୟକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭ ଶିଶୁଙ୍କ ସମେତ ୧୦୫ ରୋଗୀଙ୍କ ମାମଲାର ଅଧ୍ୟୟନରୁ ଏହା ଜଣାପଡ଼ିଛି। ଲୋକ ନାୟକ ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର କହିଛନ୍ତି, ୯୯ ପ୍ରତିଶତ ଓମିକ୍ରନ ରୋଗୀ ସପ୍ତାହକ ମଧ୍ୟରେ ସୁସ୍ଥ ହୋଇ ଯାଉଛନ୍ତି। ଉକ୍ତ ପ୍ରଜାତି ଅତ୍ୟନ୍ତ ଦ୍ରୁତ ଗତିରେ ବ୍ୟାପୁଥିଲେ ବି ଡେଲ୍‌ଟା ତୁଳନାରେ ଏହା ଶରୀରରୁ ମଧ୍ୟ ଖୁବ୍‌ ଶୀଘ୍ର ବାହାରି ଯାଉଛି। ଡେଲ୍‌ଟା ପ୍ରଜାତିରେ ଆକ୍ରାନ୍ତ ରୋଗୀ ୭-୧୦ ଦିନରେ ସୁସ୍ଥ ହେଉଛନ୍ତି। କିଛି ରୋଗୀଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାପାଇଁ ୨ ମାସ ମଧ୍ୟ ଲାଗି ଯାଉଛି। କିନ୍ତୁ ଓମିକ୍ରନ୍‌ ମାମଲାର ତଥ୍ୟ ଅଧ୍ୟୟନରୁ ଏହା ଜଣାପଡ଼ିଛି ‌ଯେ ୯୨ ପ୍ରତିଶତ ରୋଗୀଙ୍କର ସପ୍ତାହକ ମଧ୍ୟରେ ଆର୍‌ଟିପିସିଆର ‌ନେଗେଟିଭ୍‌ ଆସୁଛି। ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ରୋଗୀଙ୍କର କୌଣସି ଲକ୍ଷଣ ନାହିଁ। ଯେଉଁମାନଙ୍କର ଲକ୍ଷଣ ରହୁଛି ‌ସେମାନଙ୍କୁ ସାମାନ୍ୟ ଜ୍ବର ଏବଂ ଦୁର୍ବଳ ଲାଗୁଛି। କିଛି ରୋଗୀ ମାତ୍ର ୩ ଦିନରେ ସୁସ୍ଥ ହେବା ଆଶ୍ବସ୍ତିର କାରଣ ହୋଇଛି।

India Today

ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅନ୍ୟ ବଡ଼ ସହରମାନଙ୍କରେ ଏବେ ଦ୍ରୁତ ସଂକ୍ରମଣ ଚାଲିଛି। ଓମିକ୍ରନ୍‌ ପ୍ରଜାତି ପାଇଁ ସଂକ୍ରମଣ ଅଚାନକ ବଢ଼ିଯାଇଛି ଏବଂ ୨୬ ରାଜ୍ୟକୁ ଏହା ବ୍ୟାପିସାରିଛି। ଆଜି ଦିନକରେ ସର୍ବାଧିକ ୪୯୫ ଓମିକ୍ରନ୍‌ ମାମଲା ସହ ଦେଶର ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୩୦ ପହଞ୍ଚିଛି। ମହାରାଷ୍ଟ୍ରରୁ ସର୍ବାଧିକ ୭୯୭ ଓମିକ୍ରନ୍‌ ଆକ୍ରାନ୍ତ ଥିବାବେଳେ ଦିଲ୍ଲୀରେ ୪୬୫ ଓମିକ୍ରନ୍‌ ଆକ୍ରାନ୍ତ ରହିଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇରେ ଲଗାତାର ସଂକ୍ରମଣ ବଢ଼ୁଛି। ମୁମ୍ବାଇରେ ବୁଧବାର ଦିନ ୧୫,୧୬୬ ସଂକ୍ରମଣ ମାମଲା ଥିଲା ଏବଂ ଆଜି ଏହା ୨୦ ହଜାର ଟପିଯାଇଛି। କିନ୍ତୁ ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ମୁମ୍ବାଇରେ ମାତ୍ର ୮ ପ୍ରତିଶତ ‌ରୋଗୀ ହସ୍ପିଟାଲରେ ଅଛନ୍ତି। ୯୦ ପ୍ରତିଶତ ‌ରୋଗୀଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ଅନ୍ୟପ‌କ୍ଷେ ଦିଲ୍ଲୀରେ ବୁଧବାର ଦିନ ସଂକ୍ରମଣ ମାମଲା ୧୦,୬୬୫ ଥିଲା ଏବଂ ଆଜି ଦିଲ୍ଲୀରେ ସଂକ୍ରମଣ ୧୫ ହଜାର ଟପିଯାଇଛି। ତେବେ ମାତ୍ର ୭ ପ୍ରତିଶତ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଇତି ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଅଧିକ ସଂଖ୍ୟାରେ ସାମାନ୍ୟ ସଂକ୍ରମଣ ମାମଲା ବି ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବଢ଼ାଇବ। ଦିଲ୍ଲୀ ମୁମ୍ବାଇ ସମେତ କୋଲକାତା ଏବଂ ‌ବେଙ୍ଗାଲୁରୁରେ ବି ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି।

bhubaneswar.com

ଗୁରୁତରଙ୍କ ସଂଖ୍ୟା ଖୁବ୍‌ କମ୍‌: ଏମ୍‌ସ

ଭୁବନେଶ୍ବର : ରାଜ୍ୟରେ ପୁଣିଥରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଖୁବ୍‌ କମ୍‌ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଦ୍ବିତୀୟ ଲହରରେ ରାଜ୍ୟରେ ଯେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଶହରୁ ୧୭ଶହ ମଧ୍ୟରେ ଥିଲା, ଖାଲି ଏମ୍‌ସରେ ପାଖାପାଖି ୧୫୦ ଗୁରୁତର ରୋଗୀ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ତେବେ ଖାଲି ଆଜି (ଗୁରୁବାର) ରାଜ୍ୟରୁ ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୪ଜଣ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ଅଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଗୁରୁତରଙ୍କ ସଂଖ୍ୟା ଖୁବ୍‌ କମ୍‌। ଲୋକେ ଗୁରୁତର ହେଉ ନଥିବାରୁ ସେମାନଙ୍କୁ ଡାକ୍ତରଖାନା ଆସିବାକୁ ପଡ଼ୁନାହିଁ ବୋଲି କହିଛନ୍ତି ଏମ୍‌ସର ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ପ୍ରଭାସ ରଂଜନ ତ୍ରିପାଠୀ। ତେବେ କେତେ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ରହିବ, ତାହା ଏବେଠୁ କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଡା. ତ୍ରିପାଠୀ ଆହୁରି କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ରାନ୍ତ ଏବଂ ଭର୍ତ୍ତିରୋଗୀଙ୍କ ସଂଖ୍ୟାର ଅନୁପାତରୁ ଜଣାପଡ଼ୁଛି ଯେ ଟିକା କାମ କରୁଛି। ପିଲାମାନେ କିଛି ମାତ୍ରାରେ ସଂକ୍ରମିତ ହେଉଥିଲେ ମଧ୍ୟ ଭୟଭୀତ ହେବାର ନାହିଁ। ତେଣୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ହେବ। କେବଳ ଥଣ୍ଡା କି ଜ୍ବର ହେଲେ ଭୟଭୀତ ନହୋଇ ନିଜକୁ ପ୍ରଥମେ ଅନ୍ୟମାନଙ୍କଠାରୁ ପୃଥକ୍‌ କରିବା ଉଚିତ। ବେଶି ଅଣନିଶ୍ବାସୀ ବା ଧଇଁସଇଁ ଲାଗିଲେ କିମ୍ବା ଦେହ‌ରେ ଜ୍ବର ଅଧିକ ରହିଲେ, ପରୀକ୍ଷା କରାଇନେବା ଉଚିତ।

ବର୍ତ୍ତମାନ ମଧ୍ୟ ଏମ୍‌ସରେ କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଓ୍ବାର୍ଡରେ ୩୦୦ ଏବଂ ଆଇସିୟୁରେ ୫୮ ଶଯ୍ୟା ସଂରକ୍ଷିତ ହୋଇ ରହିଛି। ଯେକୌଣସି ସମୟରେ ରୋଗୀ ଆସିଲେ, ଚିକିତ୍ସା ଲାଗି ଏମ୍‌ସ ପ୍ରସ୍ତୁତ ରହିଛି। ଦ୍ବିତୀୟ ଲହରରେ ଏମ୍ସରେ ଅନେକ ସଂଖ୍ୟାରେ ରୋଗୀ ଭର୍ତ୍ତି ହୋଇଥିଲେ। ଏପରିକି ରୋଗୀ ଭର୍ତ୍ତି ହେବା ପାଇଁ ଶଯ୍ୟାର ଅଭାବ ମଧ୍ୟ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର