ନୂଆଦିଲ୍ଲୀ: କରୋନାର ନୂଆ ଘାତକ ପ୍ରଜାତି ଓମିକ୍ରନ୍‌ ବିଭିନ୍ନ ରାଜ୍ୟରେ ଧୀରେ ଧୀରେ କାୟାବିସ୍ତାର କରୁଛି। ଆଜି ସର୍ବାଧିକ ଓମିକ୍ରନ୍‌ ମାମଲା ରାଜସ୍ଥାନ ଓ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ରାଜସ୍ଥାନର ଜୟପୁରରେ ଏହି ପ୍ରଜାତି ଦ୍ବାରା ଆକ୍ରାନ୍ତ ୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୋଟିଏ ପରିବାରର ୪ ଜଣ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ସହ ସିଧାସଳଖ ସଂପର୍କରେ ଆସିଥିବା ଆଉ ୫ ଜଣ ମଧ୍ୟ ଓମିକ୍ରନ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।

Advertisment

ଏହା ସହିତ ଓମିକ୍ରନ ସଂକ୍ରମଣରେ ରାଜସ୍ଥାନ ଦେଶରେ ପ୍ରଥମ ସ୍ଥାନକୁ ଆସିଯାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ନାଇଜେରିଆରୁ ଫେରିଥିବା ଗୋଟିଏ ପରିବାରର ୬ ଜଣଙ୍କ ସମେତ ମୋଟ ୭ ଜଣଙ୍କଠାରେ ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇଛି। ଏହାପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି। ଆଜି ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରଥମ ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ବ୍ୟକ୍ତି ତାଂଜାନିଆରୁ ଫେରିଥିଲେ।

ଯାଞ୍ଚ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା ଏବଂ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି ଏବଂ ସେ ଉଭୟ ଡୋଜ୍‌ କୋଭିଡ୍‌ ଟିକା ନେଇଥିବା ଜଣାପଡ଼ିଛି। ଏହା ସହିତ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୧ରେ ପହଞ୍ଚିଛି।

ରାଜସ୍ଥାନରେ ସର୍ବାଧିକ ମାମଲା ଚିହ୍ନଟ ହେବାପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି ଏବଂ ସଂପୃକ୍ତ ଆକ୍ରାନ୍ତଙ୍କ ସିଧାସଳଖ ସଂପର୍କରେ ଆସିଥବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆଇସୋଲେଟ କରାଯାଇଛି । ସେହିଭଳି ଦିଲ୍ଲୀରେ ମଧ୍ୟ ଟ୍ରେସିଂ ଓ ଟ୍ରାକିଂ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବିଦେଶରୁ ଆସିଥିବା ୧୨ ଜଣ ଯାତ୍ରୀଙ୍କ ଜିନୋମ୍ ସିକ୍ବେନ୍ସିଂ ଯାଞ୍ଚରୁ କେବଳ ଜଣଙ୍କ ଠାରେ ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇଛି ଏବଂ ଅନ୍ୟ ୧୧ ଯାତ୍ରୀଙ୍କଠାରେ ଏହି ପ୍ରଜାତି ମିଳିନାହିଁ।

ବିପଦପ୍ରବଣ ରାଷ୍ଟ୍ରରୁ ଶନିବାର ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିବା ଆଉ ୭ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ତୁରନ୍ତ ଲୋକନାୟକ ହସ୍ପିଟାଲ ପଠାଇ ଦିଆଯାଇଛି। ଏହି ହସ୍ପିଟାଲରେ ଏବେ ବିଦେଶରୁ ଫେରିଥିବା ୧୯ ଜଣ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି ।

ଦେଶରେ ଓମିକ୍ରନ୍‌ର ପ୍ରଥମ ମାମଲା ସର୍ବପ୍ରଥମେ କର୍ଣ୍ଣାଟକରେ ଚିହ୍ନଟ ହୋଇଥିଲା। କର୍ଣ୍ଣାଟକରେ ୨ଟି ମାମଲା ଠାବ ହୋଇଥିବା ବେଳେ ଗତକାଲି ଗୁଜରାଟରେ ଗୋଟିଏ ଏବଂ ମହାରାଷ୍ଟ୍ରରେ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା । ଆଜି ମହାରାଷ୍ଟ୍ରରେ ଦିନକରେ ୭ ମାମଲା ଏବଂ ରାଜସ୍ଥାନରେ ୯ ମାମଲା ଚିହ୍ନଟ ହେବାପରେ ବିଦେଶ ଫେରନ୍ତା ଏବଂ ସେମାନଙ୍କ ସଂପର୍କରେ ଆସିଥିବା ଲୋକଙ୍କ ନମୁନା ଯାଞ୍ଚ ଓ ନିରୀକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୬୬ ଏବଂ ୪୬ ବୋଲି ଜଣାପଡ଼ିଛି। ଉଭୟଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ସେମାନେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଗୁଜରାଟରେ ଜଣେ ୭୨ ବର୍ଷିୟ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ସେ ଜିମ୍ବାୱେରୁ ଫେରିଥିବା ଜଣାପଡ଼ିଛି।

ବ୍ରିଟେନ୍‌-ଆମେରିକାରେ ବି ସଂକ୍ରମଣ ବଢ଼ୁଛି

ଭାରତ ସମେତ ବିଭିନ୍ନ ରାଷ୍ଟ୍ର ପାଇଁ ବଦଳିଲା ଯାତ୍ରା ନିୟମ

publive-image reuters

ନୂଆଦିଲ୍ଲୀ: କରୋନାର ଘାତକ ପ୍ରଜାତି ଓମିକ୍ରନ୍‌ ପାଇଁ ଏବେ ବ୍ରିଟେନ୍‌ ଓ ଆମେରିକାର ଚିନ୍ତା ବଢ଼ିଛି। ବ୍ରିଟେନ୍‌ରେ ପ୍ରାୟ ୧୭୦ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ଆମେରିକାର ମଧ୍ୟ ଅଧିକାଂଶ ରାଜ୍ୟରେ ଓମିକ୍ରନ୍‌ କାୟାବିସ୍ତାର କରୁଛି। ଦୁଇଦିନ ମଧ୍ୟରେ ଆମେରିକାରେ ୨୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୫୦୦ ମାମଲା ଜିନୋମ ସିକ୍ବେନ୍ସିଂ ପାଇଁ ଯାଇଥିବା ଜଣାପଡ଼ିଛି।

ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଆମେରିକା ଏବଂ ବ୍ରିଟେନ୍‌ ଭାରତ ସମେତ ବିଭିନ୍ନ ରାଷ୍ଟ୍ରର ଯାତ୍ରୀଙ୍କ ପାଇଁ ନିୟମ ବଦଳାଇଛନ୍ତି। ଯାତ୍ରୀଙ୍କ ପାଇଁ କୋଭିଡ୍‌-୧୯ ଟେଷ୍ଟ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି। ନେଗେଟିଭ୍‌ ରିପୋର୍ଟ ସହିତ ସଂକ୍ରମଣରୁ ଠିକ୍‌ ହୋଇଥିବା ସଂକ୍ରାନ୍ତ ରିପୋର୍ଟ ମଧ୍ୟ ଦେଖାଇବାକୁ ପଡ଼ିବ ବୋଲି କୁହାଯାଇଛି।

ଆମେରିକାରେ ଏହି ନୂଆ ଯାତ୍ରା ନିମୟ ଆସନ୍ତାକାଲିଠାରୁ ଲାଗୁ ହେବାକୁ ଥିବା ବେଳେ ବ୍ରିଟେନ୍‌ରେ ଏହି ନିୟମ ୭ ତାରିଖରୁ ଲାଗୁହେବ। ଆମେରିକା ଏବେ ଯେଉଁ ନିମୟ କରିଛି ତାହା ୨ ବର୍ଷରୁ ଅଧିକ ବୟସର ସମସ୍ତଙ୍କ ପାଇଁ ଲାଗୁ ହେବ। ଏବେ ଯେ କୌଣସି ବିଦେଶୀ ନାଗରିକ ଆମେରିକାରେ ପହଞ୍ଚିବା ପରେ କୋଭିଡ୍‌ ୧୯ ରିପୋର୍ଟ ଦେଖାଇବାକୁ ବାଧ୍ୟ। ବ୍ରିଟେନ୍‌ କର୍ତ୍ତୃପକ୍ଷ ଜାରି କରିଥବା ନିୟମ ୧୨ ବର୍ଷରୁ ଅଧିକ ବୟସ ବର୍ଗ କ୍ଷେତ୍ରରେ ଲାଗୁ ହେବ। ବ୍ରିଟେନ୍‌ରେ ପ୍ରାୟ ୧୭୦ ଓମିକ୍ରନ୍‌ ମାମଲା ଚିହ୍ନଟ ହେବାପରେ ସେଠାରେ ଭୟ ବଢ଼ିଛି।

ତେବେ ଅଧିକାଂଶ ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିବା ମଧ୍ୟ ଆଶ୍ବସ୍ତିର କାରଣ ହୋଇଛି । ଭାରତ ସରକାର ମଧ୍ୟ ବିପଦପ୍ରବଣ ରାଷ୍ଟ୍ରରୁ ଆସିଥିବା ଯାତ୍ରୀଙ୍କ ପାଇଁ ନିୟମ ବଦଳାଇଛନ୍ତି। ଅଧିକ ବିପଦ ଥିବା ରାଷ୍ଟ୍ରରୁ ଆସିଥିବା ଯାତ୍ରୀମାନଙ୍କ ପାଇଁ କଡ଼ା ନିୟମ ଲାଗୁ କରାଯାଇଛି । ଏବେ ବିଶ୍ବବ୍ୟାପୀ ୫୦୦ରୁ ଅଧିକ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି।