୨୧ ରାଷ୍ଟ୍ରକୁ ବ୍ୟାପିଲାଣି ‘ଓମିକ୍ରନ୍‌’, ଦକ୍ଷିଣ ଆଫ୍ରିକାରେ ରକେଟ୍‌ ବେଗରେ ମାଡ଼ୁଛି

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ୨୧ ରାଷ୍ଟ୍ରକୁ ବ୍ୟାପିଲାଣି। ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବାରୁ କଟକଣା ବଢ଼ାଇ ଦିଆଯାଇଛି। ପ୍ରଥମେ ନଭେମ୍ବର ୨୪ରେ ୟୁରୋପରେ ଓମିକ୍ରନ୍ ଚିହ୍ନଟ ହୋଇଥିବା ଘୋଷଣା ହୋଇଥିଲା। କରୋନାର ଅନ୍ୟ ପ୍ରଜାତିଠାରୁ ଓମିକ୍ରନ୍‌ ଅତ୍ୟନ୍ତ ସଂକ୍ରାମକ ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟନ୍ତ ଚିନ୍ତାଜନକ ପ୍ରଜାତି ବୋଲି କହିଛନ୍ତି। ‘ହୁ’ କହିଛି ଯେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗ, ଅସୁସ୍ଥ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ଭ୍ରମଣ ବନ୍ଦ କରିବା ଉଚିତ। ଗରିବ ରାଷ୍ଟ୍ରମାନେ ଏବେ ଟିକା ପାଇଁ ସଂଘର୍ଷ କରୁଥିବା ବେଳେ ଓମିକ୍ରନ୍‌ର ଆବିର୍ଭାବ ସଙ୍କଟ ବଢ଼ାଇ ଦେଇଛି।

ଓମିକ୍ରନ୍‌ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ଏବେ ଏହା ଅଷ୍ଟ୍ରେଲିଆ, ଇଟାଲି ଏବଂ ବ୍ରିଟେନ୍‌ ସମେତ ୨୧ ରାଷ୍ଟ୍ରକୁ ବ୍ୟାପିଲାଣି। ଅଷ୍ଟ୍ରେଲିଆର ସିଡ୍‌ନିରେ ୨ ଜଣ ଓମିକ୍ରନ୍‌ ପ୍ରଜାତିରେ ସଂକ୍ରମିତ ହୋଇଥିବା ବେ ଜର୍ମାନୀରେ ୨ଟି ମାମଲା, କାନାଡ଼ାରେ ୨ଟି ମାମଲା, ନେଦରଲାଣ୍ଡ୍‌ , ଇସ୍ରାଏଲ, ସାଉଦି ଆରବ, ସ୍ବିଜରଲା‌ଣ୍ଡ୍‌, ବେଲଜିୟମ, ଇଟାଲି, ହଂକଂରେ ବି ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି।

ତେବେ ସବୁଠୁ ଚିନ୍ତାଜନକ ହେଉଛି ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ରକେଟ ବେଗରେ ମାଡ଼ିଲାଣି। ନଭେମ୍ବର ମଧ୍ୟ ଭାଗରେ ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ୩୦୦ ଥିବାବେଳେ ଏବେ ଦୈନିକ ସଂକ୍ରମଣ ୩୦୦୦ ଉପରେ ରହିଛି। ଏଥିରୁ ଅଧିକାଂଶ ଓମିକ୍ରନ୍‌ ପ୍ରଜାତିର ହୋଇଥିବାରୁ ଆତଙ୍କ ଖେଳିଯାଇଛି। ବିଶ୍ବରେ ସର୍ବାଧିକ ବେଗରେ ସଂକ୍ରମଣ ଏବେ ଦକ୍ଷିଣ ଆଫ୍ରିକାରେ ହେଉଛି। ଆମେରିକାରେ ଏ ଯାବତ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇନାହିଁ। ଆମେରିକା ପ୍ରଶାସନ ଟେଷ୍ଟିଂ ଓ ଟ୍ରେସିଂକୁ ବ୍ୟାପକ କରିବା ପ୍ରକ୍ରିୟା ଆରମ୍ଭ କରିଛି। ସାଉଦି ଆରବରେ ଆଜି ପ୍ରଥମ ମାମଲା ଚିହ୍ନଟ ହେବାପରେ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି।

ଦିଲ୍ଲୀରେ ୬ ଜଣ ୟୁରୋପ ଫେରନ୍ତା ପଜିଟିଭ୍‌

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୋଭିଡ୍‌ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ଆଜି ବିପଦ ଥିବା ରାଷ୍ଟ୍ରରୁ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ବିପଦ ଥିବା ରାଷ୍ଟ୍ରମାନଙ୍କରୁ ଗତକାଲି ମଧ୍ୟରାତ୍ରିରୁ ଆଜି ଅପରାହ୍ନ ୪ଟା ମଧ୍ୟରେ ୩,୪୭୬ ଜଣ ଯାତ୍ରୀ ଆସି ଭାରତ ପହଞ୍ଚିଛନ୍ତି। ଯାତ୍ରୀମାନେ ୧୧ଟି ବିମାନରେ ଆସି ପହଞ୍ଚିଛନ୍ତି। କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ୪ ଜଣ ଯାତ୍ରୀ ନେଦରଲାଣ୍ଡ ଏବଂ ବ୍ରିଟେନ୍‌ରୁ ଦିଲ୍ଲୀ ଆସିଛନ୍ତି। ସମସ୍ତ ୪ ଜଣ ଏଲଏନଜେପି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆମଷ୍ଟେରଡମ୍‌ ଏବଂ ଲଣ୍ଡନରୁ ୪ଟି ବିମାନ ଗତକାଲି ରାତି ୧୨ରୁ ସକାଳ ୬ଟା ମଧ୍ୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ପହଞ୍ଚିଛି। ଏଥିରେ ୧,୦୧୩ ଯାତ୍ରୀ ଥିଲେ। ଉକ୍ତ ଯାତ୍ରୀମାନଙ୍କ ମଧ୍ୟରୁ ୪ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଫ୍ରାନ୍ସରେ ରେକର୍ଡ ସଂକ୍ରମଣ : ଦିନକରେ ୪୭ ହଜାର ମାମଲା

ପ୍ୟାରିସ: ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ ୪୭,୧୭୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଚଳିତ ବର୍ଷ ଏପ୍ରିଲ ପରେ ଏହା ସର୍ବାଧିକ ସଂକ୍ରମଣ। ତୃତୀୟ ଲହରରେ ଏହା ସର୍ବାଧିକ ସଂକ୍ରମଣ ହୋଇଥିବାରୁ କଟକଣା ପୁଣି ବଢ଼ାଇ ଦିଆଯାଇଛି। ଫ୍ରାନ୍ସରେ ମୋଟ୍‌ ସଂକ୍ରମଣ ମାମଲା ୭.୬୭ ନିୟୁତରୁ ଅଧିକ ରହିଛି। ଅନ୍ୟପକ୍ଷେ ୭ ଦିନର ହାରାହାରି ଦୈନିକ ସଂକ୍ରମଣ ୩୨ ହଜାର ଉପରେ ରହିଛି। ଗତ ଏପ୍ରିଲ ୮ ତାରିଖରେ ଫ୍ରାନ୍ସରେ ସର୍ବାଧିକ ୮୫ ହଜାର ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଦେଶର ୭୫ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ‌ନେଇଛନ୍ତି। ସେପ୍ଟେମ୍ବର ୧୨ ତାରିଖ ପରେ ପ୍ରଥମ ଥର ପାଇଁ ଫ୍ରାନ୍ସରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ହଜାର ଉପରେ ରହିଛି। ବିଶ୍ବରେ ଏବେ ମୋଟ୍‌ ସଂକ୍ରମଣ ମାମଲା ୨୬୩,୨୨୬,୭୯୮ ଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୫,୨୩୭,୦୦୦ ରହିଛି।

ସମ୍ବନ୍ଧିତ ଖବର