ଭାରତୀୟ ମୁସଲମାନଙ୍କୁ ‘ଜେହାଦ୍‌’ରେ ସାମିଲ ହେବାକୁ ଆହ୍ଵାନ ଦେଲା ‘ଅନ୍‌ସାର ଗାଜଓ୍ଵା’ତୁଲ୍‌- ହିନ୍ଦ୍‌’

ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ଶାଖା ସଂଗଠନ ‘ଅନ୍‌ସାର ଗାଜଓ୍ଵା’ତୁଲ୍‌- ହିନ୍ଦ୍‌’ ଆଜି ଭାରତୀୟ ମୁସଲମାନମାନଙ୍କୁ ‘ଜେହାଦ୍‌’ରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ଵାନ ଦେଇଛି। ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ବର୍ଷପୂର୍ତ୍ତି ଅବସରରେ ‘ଅନ୍‌ସାର ଗାଜଓ୍ଵା’ତୁଲ୍‌- ହିନ୍ଦ୍‌’ ପକ୍ଷରୁ ଅନ୍‌ଲାଇନ୍‌ ଯୋଗେ ଆଜି ଏହି ଆହ୍ଵାନ ଦିଆ ଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଓ ଲସ୍କର-ଇ-ତଏବାର କ୍ୟାଡରମାନଙ୍କୁ ନେଇ ଅଲ୍‌-କାଏଦା ପକ୍ଷରୁ ‘ଅନ୍‌ସାର ଗାଜଓ୍ଵା’ତୁଲ୍‌- ହିନ୍ଦ୍‌’ ନାମରେ ଏହି ନୂତନ ଆତଙ୍କବାଦୀ ସଂଗଠନକୁ ଚଳିତ ବର୍ଷ ଆରମ୍ଭରେ ଗଠନ କରିଛି। ଏହି ନୂତନ ଭାବେ ଗଠିତ ସଂଗଠନ ଜରିଆରେ ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ୨୫ ବର୍ଷ ପୂର୍ତ୍ତି ଅବସରରେ ଭାରତରେ ଆତଙ୍କ ସୃଷ୍ଟି କରିବା ସହ ଭାରତୀୟ ମୁସଲମାନମାନଙ୍କୁ ଭାରତ ବିରୁଦ୍ଧରେ ଉସ୍‌କାଇବା ପାଇଁ ଅଲ୍‌-କାଏଦା ଲକ୍ଷ୍ୟ ରଖିଛି।

‘ଅନ୍‌ସାର ଗାଜଓ୍ଵା’ତୁଲ୍‌- ହିନ୍ଦ୍‌’ ଆଜି ଭାରତୀୟ ମୁସଲମାନମାନଙ୍କୁ ଆହ୍ଵାନ ଦେଇ କହିଛି ଯେ ସୁବିଧାବାଦୀ ହିନ୍ଦୁମାନେ ସେମାନଙ୍କ କୌଶଳକୁ ବଦଳାଇ ଚାଲିଛନ୍ତି! ଯେ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ମିଶନରେ ସଫଳତା ହାସଲ ନକରିଛନ୍ତି, ସେମାନେ ଏପରି କରି ଚାଲିଥିବେ। ଆଉ ସେମାନଙ୍କ ମିଶନ ହେଉଛି ଭାରତୀୟ ମୁସଲମାନମାନଙ୍କର ମୂଳୋତ୍ପାଟନ! ବର୍ତ୍ତମାନ ଆମର ଶତ୍ରୁ ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଥିବାରୁ ପ୍ରତ୍ୟେକ ଭାରତୀୟ ମୁସଲମାନ ଘର ପରିତ୍ୟାଗ କରି ଜେହାଦ୍‌ରେ ଆସି ଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ‘ଅନ୍‌ସାର ଗାଜଓ୍ଵା’ତୁଲ୍‌- ହିନ୍ଦ୍‌’ ନିଜ ଆହ୍ଵାନରେ କହିଛି।

ସମ୍ବନ୍ଧିତ ଖବର