‘ବିବିସି ସିରିଜ୍‌’ ବିବାଦ: ଆସନ୍ତା ସପ୍ତାହରେ ନିଷେଧାଦେଶକୁ ଚାଲେଞ୍ଜ୍‌ କରି ଆଗତ ମାମଲା ଶୁଣାଣି କ‌ରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜରୁରୀ କ୍ଷମତା ପ୍ରୟୋଗ କରି ୨୦୦୨ ଗୁଜରାଟ ଦଙ୍ଗା ଏବଂ ହିଂସାରେ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ଭୂମିକା ଉପରେ ଆଧାରିତ ବିବାଦୀୟ ‘ବିବିସି’ ଡକ୍ୟୁମେଣ୍ଟାରିକୁ ବ୍ଲକ୍‌ କରାଯିବା ଘଟଣାକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାଗୁଡ଼ିକର ଶୁଣାଣି ସୋମବାର ଦିନ କରାଯିବ।

ଏହି ମାମଲାରେ ଆଗତ ପୃଥକ୍‌ ଜନସ୍ବାର୍ଥ ମାମଲାଗୁଡ଼ିକର ଜରୁରୀକାଳୀନ ଶୁଣାଣି ପାଇଁ ଆଡ୍‌ଭୋକେଟ୍‌ ଏମ୍‌. ଏଲ୍‌. ଶର୍ମା ଏବଂ ଆଡ୍‌ଭୋକେଟ୍‌ ସି.ୟୁ. ସିଂହ କରିଥିବା ନିବେଦନ ପ୍ରତି ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍‌. ନରସିଂହ ଏବଂ ଜେ. ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକୁ ଆଗାମୀ ସୋମବାର ଦିନ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।

ଏହାଛଡ଼ା, ବିଶିଷ୍ଟ ସାମ୍ବାଦିକ ଏନ୍‌. ରାମ, ସାମାଜିକକର୍ମୀ ତଥା ଓକିଲ ପ୍ରଶାନ୍ତ ଭୂଷଣ ଏବଂ ତୃଣମୂଳ ସାଂସଦ ମହୁଆ ମୈତ୍ର ମଧ୍ୟ ଏହି ମାମଲାରେ ଆଉ ଏକ ପିଟିସନ୍‌ ଦାଏର କରିଛନ୍ତି।

Image Courtesy of Mint

ଆଡ୍‌ଭୋକେଟ୍‌ ସି.ୟୁ. ସିଂହ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରୁ ଉକ୍ତ ଡକ୍ୟୁମେଣ୍ଟାରି ସବୁ ହଟାଇବା ପାଇଁ କେନ୍ଦ୍ର ସରକାର ‘ଆଇ.ଟି. ଆଇନ’ରେ ଥିବା ଜରୁରୀକାଳୀନ କ୍ଷମତା ପ୍ରୟୋଗ କରିଛନ୍ତି। ଏହି ଡକ୍ୟୁମେଣ୍ଟାରିଗୁଡ଼ିକୁ ବ୍ଲକ୍‌ କରିବା ପାଇଁ ଜାରି ଆଦେଶନାମାକୁ ମଧ୍ୟ କେନ୍ଦ୍ର ସରକାର ଔ‌ପଚାରିକ ଭାବେ ପ୍ରକାଶ କରିନାହାନ୍ତି।

ଦୁଇ ଭାଗରେ ବିଭକ୍ତ ଏହି ‘ଡକ୍ୟୁମେଣ୍ଟାରି’କୁ କେନ୍ଦ୍ର ନିଷିଦ୍ଧ କରିବା ବେଆଇନ, ସ୍ବେଚ୍ଛାଚାର ଏବଂ ଅସାମ୍ବିଧାନିକ ବ‌ୋଲି ଏମ୍‌. ଏଲ୍‌. ଶର୍ମାଙ୍କ ପିଟିସନ୍‌ରେ ଉଲ୍ଲେଖ ଅଛି।

ଏହି ‘ଡକ୍ୟୁମେଣ୍ଟାରି’ର ଦୁଇଟିଯାକ ଭାଗକୁ ପରୀକ୍ଷା କରିବା ସହିତ ୨୦୦୨ ଗୁଜରାଟ ଦଙ୍ଗାରେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ ଦାଏର କରାଯାଇଥିବା ଜନସ୍ବାର୍ଥ ମାମଲାରେ ନିବେଦନ କରାଯାଇଛି।

ସୂଚନାଯୋଗ୍ୟ, ‘ଆଇଟି ନିୟମ ୨୦୨୧ ଆଧାରରେ ‘ବିବିସି’ ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚନ୍‌’କୁ ‘ୟୁଟ୍ୟୁବ୍‌’ ଓ ‘ଟୁଇଟର୍‌’ ପୋଷ୍ଟ୍‌ ଆଦିରୁ ବ୍ଲକ୍‌ କରିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର