୧୦ବର୍ଷର ଗୃହ ସହାୟିକାଙ୍କୁ ମାଡ଼ ମାରୁଥିଲେ, ପରିବାର ଲୋକେ ଜାଣିବା ପରେ ଛେଚା ଖାଇଲେ ଦମ୍ପତି

ନୂଆଦିଲ୍ଲୀ: ଗୃହ ସହାୟିକାଙ୍କୁ ମାଡ଼ ମାରି ଛେଚା ଖାଇଲେ ପାଇଲଟ ଓ ତାଙ୍କ ସ୍ବାମୀ। ବୁଧବାର ଦିନ ଦିଲ୍ଲୀର ଦ୍ୱାରକାରେ ଜଣେ ପାଇଲଟ ଓ ତାଙ୍କ ସ୍ବାମୀଙ୍କୁ କିଛି ଲୋକ ମିଶି ନିସ୍ତୁକ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଭିଯୋଗ ‌ହୋଇଛି ଯେ, ପାଇଲଟ ଓ ତାଙ୍କ ସ୍ବାମୀ ଜଣେ ୧୦ବର୍ଷର ବାଳିକାକୁ ଘର କାମ ପାଇଁ ରଖିଥିବା ବେଳେ ତାଙ୍କୁ ପ୍ରତିଦିନ ମାଡ଼ ମାରୁଥିଲେ। ଏବିଷୟରେ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଅଭିଯୁକ୍ତଙ୍କ ଘରେ ପହଞ୍ଚି ଦୁହିଁଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ମାଡ଼ ଖାଇଥିବା ମହିଳା ପାଇଲଟ ଥିବା ବେଳେ ତାଙ୍କ ସ୍ବାମୀ ବିମାନ ବନ୍ଦରରେ ଗ୍ରାଉଣ୍ଡ ଷ୍ଟାଫ୍ ଭାବେ କାମ କରୁଥିବା ଜଣାପଡ଼ିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ୟୁନିଫର୍ମ ପିନ୍ଧିଥିବା ମହିଳା ପାଇଲଟଙ୍କୁ କିଛି ମହିଳା ମାଡ଼ ମାରୁଛନ୍ତି। କିଏ ଚୁଟି ଟାଣୁଛି ତ କିଏ ଚାପୁଡ଼ା ମାରୁଛି। କୁହାଯାଉଛି ଯେ, ଏହି ଦମ୍ପତି ନାବାଳିକକୁ ଦୁଇ ମାସ ପୂର୍ବରୁ ଗୃହ ସହାୟିକା ଭାବରେ  ଘରେ ରଖିଥିଲେ। ୨ମାସ ମଧ୍ୟରେ ଦମ୍ପତି ପୀଡ଼ିତାଙ୍କୁ ଅନେକ ଥର ମାଡ଼ ମାରିଥିବା ବେଳେ ଆଜି ଏହା ସାମ୍ନାକୁ ଆସିଥିଲା। ପୀଡ଼ିତାଙ୍କ ପରିବାର ତାଙ୍କ ମୁହଁ ଏବଂ ଶରୀରରେ ଅନେକ ଆଘାତ ଚିହ୍ନ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ।

NLTV

ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକେ ସକାଳ ୯ଟାରେ ଦମ୍ପତିଙ୍କ ଘର ବାହାରେ ପହଞ୍ଚି ଦୁହିଁଙ୍କୁ ମାଡ଼ ମାରିଥିଲେ। ଏବେ ପୁଲିସ ୧୦ବର୍ଷ ବୟସର ଝିଅକୁ କାମ କରାଇଥିବାରୁ ଏବଂ ତାଙ୍କୁ ମାଡ଼ ମାରିଥିବାରୁ ଦମ୍ପତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏହା ସହ ୧୦ବର୍ଷର ବାଳିକାକୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର