ନୂଆଦିଲ୍ଲୀ: ନିକଟରେ ମଡେଲ୍ ତଥା ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କର ହୃଦ୍ଘାତରେ ମୃତ୍ୟୁ ହେବା ପରେ ସାରା ଦେଶରେ ହୃଦ୍ଘାତ ପ୍ରତି ଏକ ଭୟ ଭାବ ସୃଷ୍ଟି ହୋଇଛି। ନିକଟରେ ଫରିଦାବାଦର ଏକ ଜିମ୍ରେ ବ୍ୟାୟାମ କରୁଥିବା ସମୟରେ ହୃଦଘାତରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ଘଟଣା ପୁଣି ଚର୍ଚ୍ଚାକୁ ଆସଛି।
ପଙ୍କଜ ନାମକ ବ୍ୟକ୍ତି ମଙ୍ଗଳବାର ସକାଳେ ଜିମ୍ରେ ଟ୍ରାଇସେପ୍ସ ଏକ୍ସଟେନ୍ସନ୍ରେ ବ୍ୟାୟାମ କରୁଥିବା ବେଳେ ତଳେ ପଡ଼ି ଯାଇଥିଲେ। ତା’ପରେ ତାଙ୍କ ଜୀବନ ଚାଲି ଯାଇଥିବା ଜାଣିବାକୁ ମିଳିଥିଲା।
ସିସି ଟିଭି ଫୁଟେଜରେ ଦେଖାଯାଉଛି, ପଙ୍କଜ ସକାଳ ୧୦ଟାରେ ଫରିଦାବାଦର ସେକ୍ଟର-୮ ସ୍ଥିତ ସ୍ରୌତା ଜିମ୍ ଏବଂ ୱେଲନେସ୍ କ୍ଲବରେ ପହଞ୍ଚିଥିଲେ। ତାଙ୍କ ଦିନର ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ସେ କଳା କଫି ପିଇଥିଲେ।
ସକାଳ ୧୦.୨୦ରେ ରେକର୍ଡ ହୋଇଥିବା ଅନ୍ୟ ଏକ ଫୁଟେଜରେ ପଙ୍କଜ ଏକ କେବୁଲ ଟାଣି ସୋଲଡର୍ ବ୍ୟାୟାମ କରୁଥିବାର ଦେଖାଯାଉଛି। କିଛି ମିନିଟ୍ ପରେ, ସେ ଟ୍ରାଇସେପ୍ସ ଏକ୍ସଟେନ୍ସନ୍ କରିବାକୁ ଚାଲିଯାଆନ୍ତି। ଏଥିରେ ପ୍ରାୟ ଦୁଇ ମିନିଟ୍ ପରେ, ସେ ତଳେ ପଡ଼ିଯାଉଥିବାର ଦେଖାଦେଇଛନ୍ତି।
ଶବ୍ଦ ଶୁଣି ଜଣେ ସାଥୀ ଜିମ୍ ସଦସ୍ୟ ତାଙ୍କ ନିକଟକୁ ଯାଇ ଦେଖନ୍ତି ତ ସେ ସେଠାରେ ପଡ଼ି ଯାଇଛନ୍ତି। ଅନେକ ଲୋକ ରୁଣ୍ଡ ହୋଇ ତାଙ୍କ ମୁହଁରେ ପାଣି ଛିଞ୍ଚାଞ୍ଚିିଛି କଲେ। ନିକଟସ୍ଥ ଏକ ଘରୋଇ ହସ୍ପିଟାଲରୁ ଡକାଯାଇଥିବା ଡାକ୍ତରଙ୍କ ଏକ ଦଳ ପଙ୍କଜଙ୍କୁ ମୃତ ଘୋଷଣା କରିଛନ୍ତି।