ଯେତିକି ବିସ୍କୁଟ ଦିଆଯାଇଛି, ସେତିକି ବାଂଟିକି ଖାଅ ! ଏଭଳି କହି ଗାଳି ଦେବା ସହ ପ୍ରବାସୀଙ୍କ ଉପରକୁ ବିସ୍କୁଟ ଫିଙ୍ଗିଥିଲେ ରେଳ ଅଧିକାରୀ, ନିଲମ୍ବିତ କଲା ରେଳବାଇ
ଲଖନଉ: ଉତ୍ତରପ୍ରଦେଶର ଫିରୋଜାବାଦର ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ପ୍ରବାସୀମାନଙ୍କୁ ଖାଇବାକୁ ଦେବା ସମୟରେ ତାଙ୍କୁ ଗାଳି ଦେବା ସହ ଅସମ୍ମାନିତ କରିବାର ଦୃଶ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ତେବେ ଏହି ଭିଡ଼ିଓ ଭାଇରାଲ ପରେ ବରିଷ୍ଠ ରେଳ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜଣା ପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ଦିନ ରେକର୍ଡ ହୋଇଥିବା ଏହି ତିନି ମିନିଟର ଭିଡ଼ିଓରେ ଦେଖାଯାଇଛି ଯେ, କିଛି ରେଳ କର୍ମଚାରୀ ରାଜ୍ୟ ରାଜଧାନୀ ଲଖନଉଠାରୁ ପ୍ରାୟ ୩୦୦କିଲୋମିଟର ଦୂରରେ ଥିବା ପଶ୍ଚିମ ଉତ୍ତରପ୍ରଦେଶର ଫିରୋଜାବାଦର ଏକ ଷ୍ଟେସନରେ ବିସ୍କୁଟର ପ୍ୟାକେଟ୍ ବଣ୍ଟନ କରୁଛନ୍ତି। ଟିକେଟ୍ର ମୁଖ୍ୟ ଇନ୍ସପେକ୍ଟର ଡି.କେ ଦୀକ୍ଷିତ ଦଳକୁ ଆଗେଇ ନେଉଥିବା ସହ ଅଧିକାରୀମାନେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କ ଉପରକୁ ବିସ୍କୁଟ ଫିଙ୍ଗି ସେମାନଙ୍କୁ ଉପହାସ କରୁଥିବା ଦେଖିବାକୁ ମିଳିଛି | ଆଜି ତୁମମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଉଛି, କାରଣ ଆଜି ଡି.କେ ଦୀକ୍ଷିତଙ୍କ ଜନ୍ମ ଦିନ | ଯେତେବେଳେ କିଛି ଯାତ୍ରୀ ଅଧିକ ବିସ୍କୁଟ୍ ପ୍ୟାକେଟ୍ ମାଗୁଛନ୍ତି, ସେତେବେଳେ ଅଧିକାରୀମାନେ ତାଙ୍କୁ ଯେତିକି ଦିଆଯାଇଛି, ସେତିକି ବାଂଟିକି ଖାଅ ବୋଲି କହୁଥିବା ଭିଡ଼ିଓରେ ସ୍ପଷ୍ଟ ଦେଖାଯାଇଛି |
ଏହି ଭିଡିଓଟି ପ୍ରଥମେ ସ୍ଥାନୀୟ ରେଳ ଅଧିକାରୀଙ୍କ ହ୍ଵାଟ୍ସଆପ ଗ୍ରୁପରେ ସେୟାର କରାଯାଇଥିବା ବେଳେ ପରେ ସୋସିଆଲ୍ ମିଡିଆରେ ଏହା ଭାଇରାଲ ହେବ ଆରମ୍ଭ ହୋଇଥିଲା | ଭିଡ଼ିଓ ଭାଇରାଲ ପରେ ଭିଡ଼ିଓରେ ନଜର ଆସୁଥିବା ସମସ୍ତ ରେଳ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଡି.କେ ଦୀକ୍ଷିତଙ୍କୁ ନିଲମ୍ବିତ କରାଯାଇଥିବା ନେଇ ରେଳବାଇ ଟୁଇଟ୍ କରି କହିଛି |