ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାୟବରେଲିରେ ଦେଖିବାକୁ ମିଳିଛି ଏକ ଲୋମଟାଙ୍କୁରା ଘଟଣା। ଏକ ଏସ୍‌ୟୁଭି ଦୁଇଜଣ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ଏମିତି ଫୋପାଡ଼ିଛି ତାହାକୁ ଦେଖିବା ପରେ ଆପଣ ଚକିତ ହୋଇପଡ଼ିବେ। ସେ ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

Advertisment

କ୍ୟାମେରାରେ କଏଦ ହୋଇଥିବା ଏହି ଘଟଣାରେ ବାଇକ୍ ଆରୋହୀ ଦ୍ବୟ ଗାଡ଼ିରେ ପିଟି ହେବା ପରେ ଯାଇ ଏକ ଇ-ରିକ୍ସାରେ ପଡୁଥିବାର ଦେଖିବାକୁ ମିଳିଛି। ଆକାଶରେ ଉଡ଼ି ଉଡ଼ି ଯେଉଁଭଳି ଭାବେ ଗୋଟାଏ ଗାଡ଼ିରୁ ଯାଇ ଅନ୍ୟ ଗାଡ଼ି ଉପରେ ପଡ଼ିଛନ୍ତି ତାହା କୌଣସି ସିନେମାର ଦୃଶ୍ୟ ପରି ଲାଗୁଛି। ସେ ଦୁହେଁ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଗୁରୁତର ଆହତ ହୋଇଥିବା ଦେଖାଯାଉଛି।

ରବିବାର (୨ ମାର୍ଚ୍ଚ) ଲକ୍ଷ୍ନୌ-ପ୍ରୟାଗରାଜ ଜାତୀୟ ରାଜପଥର ଉଞ୍ଚାହାର ବଜାର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ବିବାହ ଫୁଲରେ ସଜ୍ଜିତ ଏସ୍‌ୟୁଭିଟି ଜଣେ ବରକୁ ନେବା ପାଇଁ ଯାଉଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲେ।

ସୂର୍ଯ୍ୟ ଏବଂ ଗୁରୁ ଶରଣ ନାମକ ଦୁଇ ପୀଡିତ ରାସ୍ତା କଡରେ ଥିବା ଏକ ଜୁସ୍ ଦୋକାନ ଆଡକୁ ଯାଉଥିବା ବେଳେ ଗାଡିଟି ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଧକ୍କା ପରେ ଡ୍ରାଇଭର ନ ଅଟକି ସେ ସ୍ଥାନ ଛାଡ଼ି ପଳାଇ ଯାଇଥିବାର ଦେଖିବାକୁ ମିଳିଛି।