ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନରେ ଗୋରଖପୁର ନଗରାଞ୍ଚଳ ଆସନରୁ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ଏବଂ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରଚାର କରିବେ ବୋଲି ୨୬ ବର୍ଷ ହେବ ଧାରଣାରେ ବସିଥିବା ଉତ୍ତର ପ୍ରଦେଶର ଜଣେ ପୂର୍ବତନ ସ୍କୁଲ୍ ଶିକ୍ଷକ ଶୁକ୍ରବାର ଦିନ କହିଛନ୍ତି।
ଦୁର୍ନୀତି ବିରୋଧୀ ସାମାଜିକକର୍ମୀ ବିଜୟ ସିଂହ ନାମକ ଏହି ପୂର୍ବତନ ଶିକ୍ଷକ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ୨୬ ବର୍ଷ ହେବ ମୁଜାଫର୍ ନଗରରେ ଧାରଣା ଦେଉଛନ୍ତି। ସେ ଦାବି କରିଛନ୍ତି ଯେ, ପଶ୍ଚିମ ଉତ୍ତର ପ୍ରଦେଶରେ ଉକ୍ତ ଜମି ମାଫିଆମାନେ ହଜାର ହଜାର ଏକର ଜମି ମାଡ଼ି ବସିଛନ୍ତି।
ସେ କହିଛନ୍ତି, ହଁ, ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବି ବୋଲି ମୁଁ ଘୋଷଣା କରିଛି। ଫେବ୍ରୁଆରି ୯ ତାରିଖ ଦିନ ମୁଁ ଗୋରଖପୁର ନଗରାଞ୍ଚଳ ଆସନ ପାଇଁ ମୁଁ ପ୍ରାର୍ଥୀପତ୍ର ଦାଖଲ କରିବି।
ଦୁର୍ନୀତି ବିରୋଧରେ ଲଢ଼ିବା ଏବଂ ଜମି ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗତ ୨୬ ବର୍ଷ ହେବ ଉତ୍ତର ପ୍ରଦେଶକୁ ଶାସନ କରିଥିବା କୌଣସି ଦଳ ଗୁରୁତ୍ବ ଦେଇ ନ ଥିବା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ମୁଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବି।
ସେ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ମଧ୍ୟରେ ମୁଁ ସବୁଠୁ ଶସ୍ତା ନିର୍ବାଚନ ଲଢ଼ିବି। ରାଜନୈତିକ ଦଳମାନଙ୍କର କାର୍ଯ୍ୟାବଳୀ ଓ କୁଣ୍ଠାବୋଧ ଏବଂ ଦୁର୍ନୀତି ବିରୋଧରେ ସରକାରଙ୍କ ଲଢ଼େଇ ପ୍ରସଙ୍ଗ ଥିବା ପାମ୍ପ୍ଫ୍ଲେଟ୍ ବଣ୍ଟନ କରିବି। ମୁଁ ପାମ୍ପ୍ଲେଟ୍ ଛାପୁଛି।
‘ବିଏଡ୍’ ହାସଲ କରିବା ପୂର୍ବରୁ ଅର୍ଥନୀତି, ରାଜନୀତି ବିଜ୍ଞାନ ଏବଂ ଭୂଗୋଳ ପଢ଼ିଥିବା ବିଜୟ ସିଂହ ମିରଟ୍ର ‘ଚୌଧୁରୀ ଚରଣ ସିଂହ ବିଶ୍ବ ବିଦ୍ୟାଳୟ’ରୁ ସ୍ନାତକ କରିଥିଲେ। ୧୯୯୦ ଦଶକର ମଧ୍ୟ ଭାଗରେ ଦିନେ ଘରୁ ସ୍କୁଲ୍ ଯାଉଥିବା ବେଳେ ତାଙ୍କ ଜୀବନ ବଦଳି ଯାଇଥିଲା ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2022/02/ex-teacher1-1024x584.jpg)
ସେଦିନ ଗୋଟାଏ ପିଲା କାନ୍ଦି କାନ୍ଦି ମାଆକୁ ରୁଟି ମାଗୁଥିଲା। ସେ (ମାଆ) ତାକୁ ଖାଇବାକୁ ଦେଇ ପାରୁ ନ ଥିବା ବେଳେ ଗ୍ରାମ ସଭାରେ ହଜାର ହଜାର ଏକର ଜମି ଅଛି କିନ୍ତୁ, ସେ ସବୁକୁ ମୋ ଗାଁ ଓ ଗାଁ ଚଉହଦି ଥିବା କ୍ଷମତାଶାଳୀ ରାଜନେତାମାନେ ବେଆଇନ ଭାବେ ଦଖଲ କରିଥିବା କଥା ମତେ ଭାରି କଷ୍ଟ ଦେଇଥିଲା।
୧୯୯୬ ଫେବ୍ରୁଆରିରେ ବିଜୟ ସିଂହ ମୁଜାଫର୍ନଗର କଲେକ୍ଟରିଏଟ୍ ପାଖରେ ଧାରଣା ଦେଲେ। ଜିଲ୍ଲା ଅଧିକାରୀ, ରାଜସ୍ବ ଅଦାଲତ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ପାଖରେ ସେ ଦରଖାସ୍ତ କଲେ। ପ୍ରତିବାଦ, ଆନ୍ଦୋଳ ଆଦି କଲେ କିନ୍ତୁ, ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନହିଁ। ଉଭୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅଖିଳେଶ ଜମି ମାଫିଆମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ତେଣୁ, ସେ ଦୁହିଁଙ୍କୁ ବିରୋଧ କରି ନିର୍ବାଚନରେ ଲଢ଼ିବା ପାଇଁ ବାଧ୍ୟ ହୋଇଛନ୍ତି।
ସମ୍ପ୍ରତି ୬୦ ବର୍ଷ ବୟସରେ ଉପନୀତ ବିଜୟ ସିଂହଙ୍କର ଦୁଇଜଣ ଝିଅ ବିଭା ହୋଇଯାଇଛନ୍ତି। ଏକମାତ୍ର ପୁଅ ପଶ୍ଚିମ ଉତ୍ତର ପ୍ରଦେଶରେ ଥିବା ଗୋଟାଏ ଚିନି କଳରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଅନେକ ବର୍ଷ ହେବ ତାଙ୍କ ପରିବାରବର୍ଗ ମଧ୍ୟ ତାଙ୍କର ଏହି ଧାରଣାକୁ ବିରୋଧ କରି ଆସୁଛନ୍ତି।