ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ୍ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି।
‘ଏଆଇସିସି’ ମୁଖପାତ୍ର ରଣଦୀପ ସୁର୍ଯେଓ୍ଵାଲା କହିଛନ୍ତି, ସ୍ୱଳ୍ପକାଳୀନ ବ୍ୟକ୍ତିଗତ ଗସ୍ତରେ ରାହୁଳ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି। ଅଳ୍ପ କିଛି ଦିନ ନିମନ୍ତେ ସେ ବାହାରେ ରହିବେ।
ମୁଖପାତ୍ରଜଣକ ଏ ସଂକ୍ରାନ୍ତରେ ଅଧିକ କିଛି ବିବରଣୀ ଦେଇ ନ ଥିଲେ ମଧ୍ୟ ଶୁଣାଯାଉଛି ରାହୁଲ୍ ଇଟାଲିର ମିଲାନ ଅଭିମୁଖେ ଯାତ୍ରା କରିଛନ୍ତି। ମିଲାନ୍ରେ ତାଙ୍କ ଆଈ ବାସ କରନ୍ତି ଏବଂ ପୂର୍ବରୁ ମଧ୍ୟ ରାହୁଲ୍ ବହୁଥର ସେ ସହରକୁ ଯାଇଛନ୍ତି।
ଏ ଭଳି ସମୟରେ ରାହୁଲ୍ଙ୍କ ବିଦେଶ ଗସ୍ତ କଥାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମନ୍ତବ୍ୟ ଦିଆଯାଉଛି। କେତେକ ଦାବି କରିଛନ୍ତି, ରାହୁଲ୍ ରାଜନୀତି ବିଷୟରେ ପ୍ରତିବଦ୍ଧ ନୁହନ୍ତି। ସେ ନୂଆବର୍ଷ ପାଳନ କରିବାକୁ ବିଦେଶ ଯାଇଛନ୍ତି।
/sambad/media/post_attachments/wp-content/uploads/2020/12/rahul1-1024x569.jpg)
ତେଣେ, ନୂଆ ଅଧ୍ୟକ୍ଷ ଚୟନ କରିବା ଲାଗି କଂଗ୍ରେସରେ ଅଭ୍ୟନ୍ତରୀଣ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ପୁନର୍ବାର ଦଳର ମଙ୍ଗ ଧରିବାକୁ ରାହୁଳଙ୍କ ଉପରେ ଚାପ ପଡୁଛି।
ଏହାଛଡ଼ା, ରବିବାର ସକାଳେ ରାହୁଲ୍ କୃଷକମାନଙ୍କ ପ୍ରତିବାଦ ସମ୍ବନ୍ଧରେ ଟୁଇଟ୍ କରି ସେମାନଙ୍କୁ କହିଥିଲେ, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖନ୍ତୁ।
ସୋମବାର ଅର୍ଥାତ୍ ଆଜି କଂଗ୍ରେସର ୧୩୬ତମ ସ୍ଥାପନା ଦିବସ ଅବସରରେ ଆକବର ରୋଡ୍ସ୍ଥିତ ଦଳର ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ ନିମନ୍ତେ ବରିଷ୍ଠ ନେତାମାନେ ସମବେତ ହେବେ। ରାହୁଲ୍ଙ୍କ ଅନୁପସ୍ଥିତିରେ କିଏ ପତାକା ଉତ୍ତୋଳନ କରିବା ତାହା ଦେଖିବାର କଥା ବୋଲି କୁହାଯାଉଛି। ହୁଏ ତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସି ପାରନ୍ତି। କାରଣ ମହାମାରୀ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ‘ଏଆଇସିସି’ର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧୀ ସର୍ବସାଧାରଣ ସମାବେଶ ସ୍ଥାନକୁ ଆସୁ ନାହାନ୍ତି।